ଓଏଭି ସଂଗଠନର ୧୩ଟି ଶିକ୍ଷା ସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସାରାଦେଶରେ ରୋଲ୍ ମଡେଲ ସାଜିବ । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ସୁନେଲି ଭବିଷ୍ୟତ ଗଢାହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷା ସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହାସହ ୨୭୬ଟି ଛାତ୍ରାବାସର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ଦୃଢ଼ କରୁଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ଉତ୍ତମ ଶିକ୍ଷା ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଛି ଓଏଭି । ନିଟ୍, ଜେଇଇ ଆଡଭାନ୍ସ ଓ ଜାତୀୟସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି ।

ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ରାଜ୍ୟରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି । ଏଥିରେ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ବଡ଼ ହେବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ । ସମୟକୁ ବିନିଯୋଗ କରି କଠୋର ପରିଶ୍ରମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.