ଦିଗପହଣ୍ଡିରେ କନ୍ୟାଯାତ୍ରୀ ବସ୍ ଓ ଓଏସଆରଟିସି ବସ୍ ମଧ୍ୟରେ ଧକ୍କା, ୧୨ ମୃତ

ଦିଗପହଣ୍ଡି – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଲେଜ ଛକରେ ବଡଧରଣର ବସ୍ ଦୁର୍ଘଟଣା । ଓଏସଆରଟିସି ବସ ଓ କନ୍ୟାଯାତ୍ରୀ ଥିବା ଏକ ଘରୋଇ ମିନି ବସ ମଧ୍ୟରେ ମୁହାମୁହିଁ ଧକ୍କା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁରରୁ ବାହାଘର ଭୋଜି ଖାଇ ରାତିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୬ ଜଣ ପୁରୁଷ ଓ ୨ ଜଣ ଶିଶୁ ଅଛନ୍ତି । ମୃତକମାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ କୁମାରୀ ପ୍ରଧାନ, (୩୧), ସଙ୍ଗୀତ। ଡାକୁଆ (୩୨), ଲିଟୁ ନାୟକ (୪୦), ତ୍ରିପତି ପ୍ରଧାନ (୪୮), ରମେଶ ପ୍ରଧାନ (୬୨), ସୀତାରାମ ପ୍ରଧାନ (୬୦), ସଞ୍ଜୟ ମେଦିନ ରୟ (୫୦), ଶୁଭେନ୍ଦୁ ପ୍ରଧାନ (୩୨), ଦିବ୍ୟାଂଶୁ ପ୍ରଧାନ (୩), ହାର୍ଦ୍ଧିକ (୧) । ମୃତକମାନେ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଓ ସିଙ୍ଗିପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି।

ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁରୁ ବ୍ରହ୍ମପୁରର ହାତୀବନ୍ଧ ସାହିକୁ ଝିଅର ବିବାହ ପାଇଁ ଯାଇଥିଲେ । ମିନି ବସ୍‌ରେ ଥିଲେ ପ୍ରାୟ ୨୫ ଜଣ । ଫେରିଲା ବେଳେ ରାତି ଗୋଟାଏରେ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣାସ୍ଥଳକୁ ଚିକିଟି ଏସଡିପିଓ , ଦିଗପହଣ୍ଡି ଥାନା ଅଧିକାରୀ, ପାଟପୁର ଥାନା ଅଧିକାରୀ ଯାଈ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦିଗପହଣ୍ଡି ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଟାୟାର ଜାଳି ରାସ୍ତା ରୋକକରିଥିଲେ । ହେଲେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲା ।

Comments are closed.