ମଣିପୁର ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲେ ଖଡ଼ଗେ, ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି

ନୂଆଦିଲ୍ଲୀ: ମଣିପୁରରେ ଜାରି ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ।

ସେ ଟ୍ୱିଟ୍ କରି ଲେଖିଛନ୍ତି, “ଖବର ରହିଛି ଯେ ଶେଷରେ ଗୃହମନ୍ତ୍ରୀ ମଣିପୁର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି। ଗତ ୫୫ ଦିନ ଧରି ମୋଦୀ ମଣିପୁର ଉପରେ ପଦୁଟିଏ ବି କହି ନାହାଁନ୍ତି। ସମଗ୍ର ଦେଶ ତାଙ୍କ ‘ମଣିପୁର କି ବାତ୍’ ଶୁଣିବାକୁ ଅପେକ୍ଷା କରିଛି। ”

ମଣିପୁରର ସ୍ଥିତି ସୁଧାରିବା ପାଇଁ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ କିଛି ଦାବି ରଖିଛନ୍ତି।

ଖଡ଼ଗେଙ୍କ ଦାବି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଯିବା, ଉଗ୍ରବାଦୀ ସଂଗଠନ ତଥା ଅସାମାଜିକ ତତ୍ତ୍ବଙ୍କ ଠାରୁ ଚୋରି ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିବା ଓ ସମସ୍ତ ଦଳ ସହିତ ଆଲୋଚନା ପୂର୍ବକ ଏକ ରାଜନୈତିକ ସମାଧାନ ବାହାର କରିବା ।

ଏହାଛଡ଼ା ଖଡ଼ଗେ ସୁରକ୍ଷା ବାହିନୀ ସହାୟତାରେ ଅବରୋଧ ହଟାଇବା ଓ ଜାତୀୟ ରାଜପଥକୁ ଖୋଲା ଏବଂ ସୁରକ୍ଷିତ ରଖି ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧତା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି |

ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ୍, ଥଇଥାନ ଏବଂ ଜୀବିକା ପାଇଁ ଏକ ପ୍ୟାକେଜ୍ ଅବିଳମ୍ବେ ଘୋଷଣା କରାଯିବା ଉଚିତ୍ | କାରଣ ସମ୍ପ୍ରତି ସରକାରଙ୍କ ରିଲିଫ୍ ପ୍ୟାକେଜ୍ ଯଥେଷ୍ଟ ନୁହେଁ ବୋଲି ଖଡ଼ଗେ କହିଛନ୍ତି ।

ମଣିପୁର ହିଂସା ଉପରେ ଗୃହମନ୍ତ୍ରୀ ଅମିତ ଶାହ ଜୁନ୍ ୨୪ରେ ସଂସଦ ଗୃହରେ ଏକ ସର୍ବଦଳୀୟ ବୈଠକ କରିଥିଲେ। ଏଥିରେ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।

ଦିନକ ପରେ ଅର୍ଥାତ୍ ଜୁନ୍ ୨୫ରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ତୃଣମୂଳ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।

ପ୍ରାୟ ଦୁଇ ମାସ ଧରି କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷରୁ ମଣିପୁର ଜଳୁଛି । ଏଯାବତ୍ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବାର ବାସହରା ହୋଇଛନ୍ତି ।

Comments are closed.