ସରକାରୀ କର୍ମଚାରୀଙ୍କୁ ଦିଆଯିବ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ତାଲିମ

ତାଲିମ ପାଇଁ ପ୍ରସ୍ତୁତ ହେବ ପାଠ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଐତିହାସିକ ନିଷ୍ପତ୍ତିକ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍ – ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍ ଦିଆଯିବ । ଏହି ନିଷ୍ପତ୍ତି ଅନୁପାଳନପୂର୍ବକ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ନିମନ୍ତେ ଉକ୍ତ ବିଷୟ ସମ୍ବନ୍ଧୀୟ ପାଠ୍ୟକ୍ରମ ବିକଶିତ କରାଯାଉଛି । ଗ୍ରୁପ୍ – ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବ । ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ୍ – ଏ ସ୍ତରର କର୍ମଚାରୀମାନେ ମଧ୍ୟ ସମସ୍ତ ପାଠ୍ୟକ୍ରମକୁ ସଂପୂର୍ଣ୍ଣ କରିବେ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ) , ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ , ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ , ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ , ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ , ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ , ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ , ସମ୍ବଲପୁରର କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଓସ୍‌ଡମା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ . ଜ୍ଞାନ ଦାସ , ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ବୀରେନ୍ଦ୍ର କୋରକରା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ , ସମ୍ବଲପୁରଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ମାନସ ରଞ୍ଜନ ପୂଜାରୀ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ । ତାଲିମ୍ , ଦକ୍ଷତା ବୃଦ୍ଧି ଏବଂ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ବୈଷୟିକ ସହାୟତା ପ୍ରଦାନ କରିବ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗ ସ୍ତରୀୟ ସରକାରୀ ( ଗ୍ରୁପ – ଏ , ଗ୍ରୁପ୍ – ବି , ଗ୍ରୁପ – ସି ଏବଂ ଗ୍ରୁପ୍ ଡି ) କର୍ମଚାରୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ।

ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପାଠ୍ୟକ୍ରମକୁ ମୁକ୍ତ ଏବଂ ଦୂର ଶିକ୍ଷା ନିମନ୍ତେ ଶିକ୍ଷଣ ପରିଚାଳନା ବ୍ୟବସ୍ଥା ପ୍ଲାଟଫର୍ମରେ ଅନ୍ – ଲାଇନ୍‌ରେ ମାଧ୍ୟମରେ ଏହି ଚାରିଗୋଟିର ଡିଜାଇନ୍‌ ଏବଂ ବିକାଶ କରାଯାଇଛି । ଏହାସହ ଶିକ୍ଷାର୍ଥୀମାନଙ୍କର ଡାଟାବେସ୍ ବିକାଶ , ସେମାନଙ୍କର ଅଗ୍ରଗତିକୁ ନିରୀକ୍ଷଣ କରିବା ଏବଂ ଅନଲାଇନ୍ ପାଠ୍ୟକ୍ରମର ସମାପ୍ତି ପରେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏକ ୱେବ୍ ଆଧାରିତ ଆପ୍ଲିକେଶନ ବିକଶିତ କରାଯାଇଛି । ଅନଲାଇନ୍ ପାଠ୍ୟକ୍ରମକୁ ଅଧିକ ପ୍ରଭାବୀ ଏବଂ ଆଗ୍ରହପୂର୍ଣ୍ଣ କରିବା ନିମନ୍ତେ ଦୃଶ୍ୟ – ଶ୍ରାବ୍ୟ ପରି ଶିକ୍ଷଣ ସାମଗ୍ରୀ ଏବଂ ମଲ୍ଟିମିଡିଆ ଶିକ୍ଷଣ ପ୍ୟାକେଜ୍‌ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମର ଆବଶ୍ୟକତାଭିଭିକ ମୂଲ୍ୟାୟନ ପାଇଁ ଅଧିକାରୀମାନଙ୍କର ମୂଲ୍ୟାଙ୍କନ , ପ୍ରମାଣପତ୍ର ଏବଂ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ତାଲିମ୍‌ଗୁଡିକ ପାଇଁ ମନୋନୀତ ଶିକ୍ଷାନୁଷ୍ଠାନରୁ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ତଥା ଅଭିଜ୍ଞତା ଥିବା ଶିକ୍ଷକ ଏବଂ ଅଭିଜ୍ଞତା ସଂପନ୍ନ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଚୟନ କରାଯିବ ।

Comments are closed.