ଜନ୍ମବେଦୀରୁ ବାହୁଡିଲେ ଶ୍ରୀଜିଉ : ସିଂହଦ୍ଵାର ଆଗରେ ତିନିରଥ, ରଥ ଉପରେ ସୁନାବେଶ

ପୁରୀ – ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାପରେ ଜନ୍ମବେଦୀରୁ ଅଗ୍ରଜ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଶ୍ରୀମନ୍ଦିର ବାହୁଡିଛନ୍ତି ଶ୍ରୀଜଗନ୍ନାଥ। ସହ ବାହୁଡି ଆସିଛନ୍ତି ଲୀଳାମୟ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ କାଳିଆ ସାଆନ୍ତ ଜନ୍ମବେଦୀରେ ଲୀଳାଖେଳା ସାରି ସିଂହଦ୍ବାର ଆଗରେ ପହଞ୍ଚିଛନ୍ତି। ସିଂହଦ୍ବାର ସମ୍ମୁଖରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚି ଥିଲା। ଶେଷରେ ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ପହଞ୍ଚିଥିଲେ। ଲକ୍ଷାଧିକ ଭକ୍ତ ଶ୍ରଦ୍ଧାର ସହିତ ଶ୍ରୀଜିଉମାନଙ୍କ ତିନି ରଥକୁ ଶରଧାବାଲିରୁ ଶ୍ରୀମନ୍ଦିରର ସିଂହଦ୍ବାର ସାମ୍ନାକୁ ଟାଣି ଆଣିଥିଲେ। ବାହୁଡ଼ାଯାତ୍ରା ଶେଷ ହୋଇଯାଇଥିବା ବେଳେ ଗୁରୁବାର ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତ୍ରିଯାଏଁ ରଥ ଉପରେ ଶ୍ରୀଜିଉମାନେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ରଥ ଉପରେ ଜୁନ୍‌ ୩୦ରେ ଅଧରପଣା ନୀତି ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନୀତିକାନ୍ତି ବିଳମ୍ବ ଯୋଗୁଁ ଶରଧାବାଲିକୁ ତିନି ରଥ ପହଞ୍ଚି ପାରି ନଥିଲା। ସେହିଦିନ କେବଳ ତାଳଧ୍ବଜ ଓ ଦର୍ପଦଳନ ରଥ ହିଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିବା ବେଳେ ପରଦିନ (ଜୁନ୍‌ ୨୧)ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିଥିଲା। ଜୁନ୍‌ ୨୨ ତାରିଖ ସନ୍ଧ୍ୟାରେ ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା। ଏହି ବିଳମ୍ବ କାରଣରୁ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ଏଥି ପାଇଁ ଆଜି ବାହୁଡ଼ାଯାତ୍ରାର ସମସ୍ତ ନୀତିକାନ୍ତି, ନିର୍ଦ୍ଧାରିତ ସମୟ ଆଗରୁ ସଂପନ୍ନ କରାଯାଇଥିଲା। ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ଅପରାହ୍ନ ୪ଟା ବେଳେ ଆରମ୍ଭ ପାଇଁ ପୂର୍ବରୁ ସ୍ଥିର ହୋଇଥିଲେ ହେଁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିବାରୁ ଦିନ ଗୋଟାଏ ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା।

Comments are closed.