ଆଟଲାଣ୍ଟିକ ମହାସାଗରରୁ ‘ଟାଇଟନ’ ବୁଡ଼ାଜାହାଜର ଭଗ୍ନାବଶେଷ ସହ ମାନବ ଅଙ୍ଗ ଉଦ୍ଧାର

ଓଟାଓ୍ବା: ଟାଇଟାନିକ ଜାହାଜ ଦେଖିବାକୁ ଯାଇ ଆଟଲାଣ୍ଟିକ ମହାସାଗରରେ ନିଖୋଜ ହୋଇଥିବା ଟାଇଟନ ବୁଡ଼ାଜାହାଜର ଭଗ୍ନାବଶେଷ ବୁଧବାର ଉଦ୍ଧାର ହୋଇଛି । କାନାଡାର ସେଣ୍ଟ ଜନ୍‌ ବନ୍ଦରକୁ ବୁଡ଼ାଜାହାଜର ଭଗ୍ନାବଶେଷକୁ ଅଣାଯାଇଛି । ସମୁଦ୍ର ଭିତରେ ବିସ୍ଫୋରଣର ୬ ଦିନ ପରେ ଆଟଲାଣ୍ଟିକ୍ ମହାସାଗରରୁ ଏହା ବାହାର କରାଯାଇଛି। ଆମେରିକାର ତଟରକ୍ଷୀ ବାହିନୀର ଅଧିକାରୀ କହିଛନ୍ତି ଯେ ବୁଡ଼ାଜାହାଜ ଧ୍ୱଂସାବଶେଷରେ

ମାନବ ଅଙ୍ଗ ମଧ୍ୟ ମିଳିଛି। ଏହାକୁ ପରୀକ୍ଷା ପାଇଁ ଡାକ୍ତରୀ ଦଳକୁ ପଠାଯିବ।

ବୁଡ଼ାଜାହାଜ ଧ୍ୱଂସାବଶେଷରେ ଲ୍ୟାଣ୍ଡିଂ ଫ୍ରେମ୍, ପଛ କଭର ସମେତ ୫ଟି ଅଂଶ ଉଦ୍ଧାର କରାଯାଇଛି। ତଟରକ୍ଷୀ ବାହିନୀ ସୂଚନା ଅନୁଯାୟୀ ବୁଡ଼ାଜାହାଜର ଅନେକ ଧ୍ୱଂସାବଶେଷ ଏବେ ବି ଟାଇଟାନିକ୍ ଜାହାଜ ନିକଟରେ ପଡ଼ିରହିଛି। ସେଗୁଡିକୁ ମଧ୍ୟ ଶୀଘ୍ର ବାହାରକୁ ଆଣିବାକୁ ଚେଷ୍ଟା କରାଯାଉଛି | ଏ‌ହି ଟୁରିଷ୍ଟ ବୁଡ଼ାଜାହାଜ କାହିଁକି ବିସ୍ଫୋରଣ ହେଲା ଜାଣିବା ପାଇଁ ବୁଡ଼ାଜାହାଜର ଧ୍ୱଂସାବଶେଷର ଫରେନସିକ୍ ଟେଷ୍ଟ କରାଯିବ।

ଜୁନ୍ ୧୮ ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ (ଭାରତୀୟ ସମୟ) ଟାଇଟାନ୍ ବୁଡ଼ାଜାହାଜ ଆଟଲାଣ୍ଟିକ୍ ମହାସାଗରରେ ଛାଡ଼ି ଦିଆଯାଇଥିଲା | ତେବେ ପ୍ରାୟ ୧:୪୫ ଘଣ୍ଟା ପରେ ଏହା ସହିତ ଯୋଗାଯୋଗ ଛିନ୍ନ ହୋଇଯାଇଥିଲା | ବୁଡ଼ାଜାହାଜରେ ପାଇଲଟଙ୍କ ସମେତ ୫ ଜଣ ପର୍ଯ୍ୟଟକ ଥିଲେ। ନିଖୋଜ ବୁଡ଼ାଜାହାଜକୁ ଖୋଜିବା ପାଇଁ ପ୍ରାୟ ଚାରି ଦିନ ୫ଟି ଦେଶର ବିଶେଷଜ୍ଞ ଦଳ ଉଦ୍ୟମ କରିଥିଲେ । ଜୁନ୍ ୨୩ରେ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷଠାରୁ ୧୬୦୦ ଫୁଟ ଦୂରରେ ଏହାର ଧ୍ୱଂସାବଶେଷ ମିଳିଥିଲା | ବୁଡ଼ାଜାହାଜ ସମୁଦ୍ରରେ ବିସ୍ଫୋରଣ ହୋଇଥିବା କୁହାଯାଇଥିଲା ।

Comments are closed.