ଆଜାଦଙ୍କୁ ଗୁଳିମାଡ଼ ମାମଲା: ଅମେଠିରୁ ଯୁବକ ଅଟକ, ଫେସବୁକ୍ ପୋଷ୍ଟରେ ଦିଆଯାଇଥିଲା ହତ୍ୟା ଧମକ

ଲକ୍ଷ୍ନୌ: ଆଜାଦ ସମାଜ ପାର୍ଟିର ସଭାପତି ତଥା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ ଆମେଠିରୁ ଭିମଲେଶ ସିଂହ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି। ଚନ୍ଦ୍ରଶେଖରଙ୍କ ଉପରେ ଆକ୍ରମଣ ପୂର୍ବରୁ ଯୁବକମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଆକ୍ରମଣରୁ ବର୍ତ୍ତିଯିବା ପରେ ଅଭିଯୁକ୍ତ ଲେଖିଥିଲେ ଯେ ‘ଚନ୍ଦ୍ରଶେଖର ଆଉ ବଞ୍ଚିପାରିବେ ନାହିଁ’। ପୋଲିସ ଅଟକ ଯୁବକଙ୍କୁ ପଚରାଉଚରା କରୁଛି।

ଆଜାଦଙ୍କୁ ହତ୍ୟା କରିବାକୁ ଘୋଷଣା କରି ‘କ୍ଷତ୍ରିୟ ଅଫ୍ ଅମେଠି’ ନାମରେ ଫେସବୁକ୍ ପେଜରେ ଏକ ପୋଷ୍ଟ କରାଯାଇଥିଲା। ଏହି ପୋଷ୍ଟରେ ଚନ୍ଦ୍ରଶେଖରଙ୍କ ବିଷୟରେ ଏକ ବିବାଦୀୟ ପୋଷ୍ଟ କରାଯାଇଥିଲା ଏବଂ ଏଥିରେ ହିନ୍ଦୀରେ ଲେଖାଥିଲା ଯେ “ଚନ୍ଦ୍ରଶେଖରଙ୍କୁ ଯେଉଁ ଦିନ ହତ୍ୟା କରାଯିବ ତାଙ୍କୁ ଅମେଠିର ଠାକୁର ହିଁ ହତ୍ୟା କରିବେ। ତାହା ବି ଦିନ ଦ୍ବିପହରରେ ସର୍ବସାଧାରଣ ସ୍ଥାନରେ |” ବୁଧବାର ଚନ୍ଦ୍ରଶେଖରଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସେହି ଫେସବୁକ ଆଇଡିରୁ ଆଉ ଏକ ପୋଷ୍ଟ କରାଯାଇଥିଲା ଯେଉଁଥିରେ ଲେଖାଥିଲା, ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ରାବଣ ଉପରେ ମରଣାନ୍ତକ ଆକ୍ରମଣ। ରାବଣର ଅଣ୍ଟାରେ ଲାଗିଛି ଗୁଳି । ବଞ୍ଚିଗଲା, ଆର୍ ଥରକୁ ବଞ୍ଚିବେ ନାହିଁ।”

ଏହି ମାମଲାରେ ଅମେଠି ଏସପି ଡକ୍ଟର ଏଲମାରନ କହିଛନ୍ତି ଯେ, ଭାଇରାଲ ପୋଷ୍ଟ ନେଇ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଚାଲିଛି। ପାଞ୍ଚ ଦିନ ପୂର୍ବେ ଅମେଠିରେ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଏକ ଫେସବୁକ ପୋଷ୍ଟରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ତଦନ୍ତ ପରେ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତକାଲି ଆଜାଦଙ୍କ ଉପରକୁ ଉତ୍ତର ପ୍ରଦେଶ ସାହାରନପୁର ଜିଲ୍ଲା ଦେଓବନ୍ଦରେ ଗୁଳିମାଡ଼ ହୋଇଥିଲା । କିଛି ଅଜଣା ବ୍ୟକ୍ତି ଏକ କାରରେ ଆସି ତାଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ‌‌। ଆଜାଦଙ୍କ ତଳିପେଟରେ ଗୋଟିଏ ଗୁଳି ଘଷି ହୋଇ ଚାଲି ଯାଇଥିଲା । ସେ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Comments are closed.