ରମାଦେବୀ ଚେୟାରର ଶୁଭାରମ୍ଭ: ମହିଳା ସଶକ୍ତିକରଣ ଓ ସମାଜ ବିଜ୍ଞାନ ଗବେଷଣାକୁ ଫୋକସ: ମନ୍ତ୍ରୀ

ଭୁବନେଶ୍ୱର : ମହିଳାମାନଙ୍କ ଚିରନ୍ତନ ବିକାଶ , ସଶକ୍ତିକରଣ ସମେତ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଵତନ୍ତ୍ର ଭାବେ ଆରମ୍ଭ ହୋଇଛି ମା ’ ରମାଦେବୀ ଚେୟାର । ଲିଙ୍ଗଗତ ସମାନତା , ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ଉପରେ ଏହି ଚେୟାର ପ୍ରାଧାନ୍ୟ ଦେବ । ମା ’ ରମାଦେବୀ ଚେୟାରର ଶୁଭାରମ୍ଭ ଅବସରରେ ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଏହା ପ୍ରକାଶ କରିଛନ୍ତି ।

ଆଜି ଅପରାହ୍ନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରସ୍ଥ ନୂତନ ପ୍ରେକ୍ଷାଳୟରେ ରମାଦେବୀ ଚେୟାର ଅନ ଓମେନ୍ସ , ଷ୍ଟଡିଜ୍‌ର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ , ଆମ ଜୀବନର ପ୍ରଥମ ଶିକ୍ଷକ ହେଉଛି ମାଆ । ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ । ନାରୀମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଲକ୍ଷ୍ୟ ରହିଛି ସେ ସ୍ୱପ୍ନକୁ ସାକାର କରିବାରେ ରମାଦେବୀ ବିଶ୍ଵବିଦ୍ୟାଳୟର ଏଭଳି ସତ୍ୟପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ । ମା ’ ରମାଦେବୀ ଚୌଧୁରୀଙ୍କ ନାମରେ ବଳୀୟାନ୍ ଏହି ମହାନ୍ ଶିକ୍ଷାନୁଷ୍ଠାନ । ସେ ସ୍ଵୟଂ ଥିଲେ ଜଣେ ନାରୀ ଯୋଦ୍ଧା । ଓଡ଼ିଆ ଜାତିର ସ୍ଵାଧୀନତା ପାଇଁ ତାଙ୍କର ସଂଘର୍ଷ ସଦା ସ୍ମରଣୀୟ । ଆଜି ଆମେ ଯେଉଁ ବିଶ୍ଵବିଦ୍ୟାଳୟ ମାଟିରେ ଠିଆ ହୋଇ ଓମେନ୍ସ , ଷ୍ଟଡିଜ୍‌ରର ମହତ୍ତ୍ଵ ବିଷୟରେ ଆଲୋଚନା କରୁଛେ , ତାହା ସେହି ମହିୟସୀ ନାରୀଙ୍କ ନାମରେ ନାମିତ । ମା ’ ରମାଦେବୀଙ୍କ ତ୍ୟାଗ , ଆଦର୍ଶ , ସମର୍ପଣର ପ୍ରତୀକ ଏହି ମହାନ ଶିକ୍ଷାନୁଷ୍ଠାନ । ୧୯୬୪ ମସିହାରୁ କେତେ ଯେ ନାରୀରତ୍ନ ଏହି ଅନୁଷ୍ଠାନ ସୃଷ୍ଟି କରିଛି ତାହାର ହିସାବ ନାହିଁ । ଓଡ଼ିଶାର ଗର୍ବ ସ୍ବର୍ଗତଃ ବିଜୁବାବୁଙ୍କ ପ୍ରୟାସରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ପୂର୍ବଭାରତର ପ୍ରଥମ ମହିଳା ମହାବିଦ୍ୟାଳୟ । ଭାରତର ସର୍ବୋଚ୍ଚ ନାଗରିକ ଭାବେ ସମ୍ମାନ ପାଇଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଏହି ମହାନ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ । ୧୯୬୪ ମସିହାରୁ ଏକ ଲମ୍ବା ଯାତ୍ରା ଅତିକ୍ରମ କରିଥିବା ରମାଦେବୀ ମହିଳା ମହାବିଦ୍ୟାଳୟ ୨୦୧୫ରେ ଓଡ଼ିଶାର ପ୍ରଥମ ମହିଳା ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଶୁଭାରମ୍ଭ ହୋଇଥିଲା । ଆଜି ଏହି ବିକାଶ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ।

ଆଜିର ଏହି ଚେୟାରର ଶୁଭାରମ୍ଭ ନାରୀ ଜାଗରଣ , ମହିଳା ସଶକ୍ତିକରଣରୁ କୌଣସିମତେ କମ୍ ନୁହେଁ । ମା’ରମାଦେବୀ ଚେୟାର ସମାଜରେ ନାରୀଭିତ୍ତିକ ସମସ୍ୟାଗୁଡ଼ିକର ବିଶ୍ଳେଷଣାତ୍ମକ ଓ ତୁଳନାତ୍ମକ ଗବେଷଣା କରି ସମାଧାନର ପ୍ରସ୍ତାବ ରଖିବେ । ହ୍ୟୁମାନିଟିଜ୍ , ସମାଜ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରର ସହଭାଗିତାରେ ବହୁବିଷୟକ ଅନୁସନ୍ଧାନ କରିବେ । ବିଭିନ୍ନ ମହିୟସୀ ମହିଳାଙ୍କ ଅବଦାନ ସମେତ ସେମାନଙ୍କ ସଫଳତା ଏଠାର ଆଲୋଚ୍ୟବସ୍ତୁ ହୋଇ ଆଗାମୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିବ । ସାମାଜିକ ବ୍ୟାଧୁଗୁଡ଼ିକର ନିରାକରଣ ଓ ନାରୀ – ପୁରୁଷ ଲିଙ୍ଗଗତ ଭେଦଭାବ ଦୂର ସମ୍ଭବ ହୋଇପାରିବ । ଉନ୍ନତ ସମାଜର ମାପକାଠି ଓ ମହିଳା ସଶକ୍ତିକରଣର ପ୍ରକୃତ ପରିଚାୟକରୂପୀ ସାମାଜିକ ସମାନତା ସ୍ଥାପନ ହୋଇପାରିବ । ରମାଦେବୀ ଚେୟାର ଦ୍ଵାରା ସମାହିତ ଗବେଷଣା , ପ୍ରଶିକ୍ଷଣ , ପ୍ରଲେଖନ ଓ ସଂରକ୍ଷଣ ମାଧ୍ୟମରେ ନାରୀ ଜାତିର କଲ୍ୟାଣ ସାଧୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯୁଗାନ୍ତକାରୀ ଯୋଜନା ‘ ମିଶନ ଶକ୍ତି ’ ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ । ଏହି ଯୁଗାନ୍ତକାରୀ ଯୋଜନା ମହିଳାମାନଙ୍କୁ ସାମାଜିକ – ଅର୍ଥନୈତିକ ସ୍ଵାଧୀନତା ଆଣିଦେଇଛି । ଆମ ରାଜ୍ୟରେ ମହିଳା ସଶକ୍ତିକରଣର ଏହି ସୁଦୂରପ୍ରସାରୀ ସ୍ରୋତକୁ ରମାଦେବୀ ଚେୟାର ଆହୁରି ବଳିଷ୍ଠ କରିପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ଆଶା ପ୍ରକାଶ କରିଥିଲେ ।

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଏହି ଉତ୍ସବରେ ସଭାପତିତ୍ୱ କରି କହିଲେ ଯେ , ଶିକ୍ଷା ମହିଳାମାନଙ୍କୁ ସଶକ୍ତ ଓ କ୍ଷମତାପନ୍ନ କରିପାରିବ । ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିବେ । ମିଳିତ ଜାତିସଂଘ ଦ୍ଵାରା ଘୋଷିତ ୨୦୩୦ ପୋଷଣୀୟ ବିକାଶ ଲକ୍ଷ୍ୟ ମଧ୍ୟରୁ ୧୦ଟି ଲକ୍ଷ୍ୟ ହାସଲ କ୍ଷେତ୍ରରେ ମହିଳାମାନେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ନିଷ୍ଫଳ ଭାରତ ମହିଳା ସମ୍ମିଳନୀର ସେକ୍ରେଟାରୀ ଜେନେରାଲ ଡଃ ମଞ୍ଜୁ କାକ୍ ସମ୍ମାନିତ ଅତିଥ୍‌ଭାବେ ଯୋଗ ଦେଇ କହିଲେ ଯେ , ମହିଳାମାନେ ସ୍ବତଃପ୍ରବୃତ୍ତ ଭାବେ ଘରର ଚାରି କାନ୍ଥରୁ ବାହାରି ନିଜ ନିଜର ସାମାଜିକ , ଅର୍ଥନୈତିକ ଉତ୍ଥାନ ଦିଗରେ ଶକ୍ତିଶାଳୀ ଅବଦାନ ପ୍ରକଟ କରିବା ଆଜି ଜରୁରୀ ହୋଇପଡିଛି । ଉତ୍କଳ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ପୂର୍ବତନ ପ୍ରଫେସର ଓ ଓମେନ୍ସ ଷ୍ଟଡିଜ୍ ନିର୍ଦେଶିକା ପ୍ରଫେସର ଆଶା ହଂସ କହିଲେ ଯେ , ମହିଳା ସଶକ୍ତିକରଣ , ଦେଶର ଉନ୍ନୟନ ସହିତ ଓଡ଼ିଶାର ଅର୍ଥନୈତିକ ବିକାଶ ମା ’ ରମାଦେବୀ ଚେୟାର ପ୍ରତିଷ୍ଠାର ମୂଳ ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସେ ଆହ୍ଵାନ ଦେଇଥିଲେ । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପି.ଜି. କାଉନ୍ସିଲର ଚେୟାରପର୍ସନ୍ ପ୍ରଫେସର ଚଣ୍ଡୀ ଚରଣ ରଥ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅକୁଣ୍ଠ ସହଯୋଗ ବଳରେ ମା ’ ରମାଦେବୀ ଚେୟାର ପ୍ରତିଷ୍ଠା ସମ୍ଭବପର ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ମା ’ ରମାଦେବୀ ଚେୟାର ପ୍ରଫେସର ସୁଚେତା ପ୍ରିୟବାଦିନୀ ସ୍ଵାଗତ ଭାଷଣ ଦେଇଥିଲେ । ଦୃଷ୍ଟିବାଧ୍ୟତ କ୍ରିକେଟ କ୍ଷେତ୍ରରେ ସଫଳତା ପାଇଥିବା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀ ବାସନ୍ତୀ ହାଁସଦା , ଫୁଲ ସୋରେନ୍ , ଝିଲି ବରୁଆଙ୍କୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ସମ୍ବର୍ଦ୍ଧିତ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ , ଡଃ ମଞ୍ଜୁ କାକ୍ , ପ୍ରଫେସର ଆଶା ହଂସଙ୍କୁ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments are closed.