ବିଏମ୍‌ସିର ଡେଙ୍ଗୁ ବିରୋଧି ସଚେତନତା ପଦଯାତ୍ରା

ଭୁବନେଶ୍ୱର: ‘ ଆମରି ହାତରେ ଆମରି ସ୍ୱାସ୍ଥ୍ୟ ; ଡେଙ୍ଗୁ ପ୍ରତିକାର ଆମ ଦାୟିତ୍ଵ ’ ନାରା ଆଜି ଦେଖିବାକୁ ମିଳିଛି ମଂଚେଶ୍ବର ସ୍ଥିତ ମଣିନାଗେଶ୍ଵର ବସ୍ତି ଅଂଚଳରେ । ପ୍ରାୟ ଦିନ ସାଢେ ୮ଟା ସମୟରେ ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ୧୦ ନମ୍ବର ୱାର୍ଡ କର୍ପୋରେଟର ଶେକ୍ ନୁରସାନ ଏବଂ ବସ୍ତି ବାସିନ୍ଦାଙ୍କୁ ନେଇ ଏକ ପଦଯାତ୍ରା ସ୍ଥାନୀୟ ଅଂଚଳ ପରିକ୍ରମା କରିବା ସହ ଡେଙ୍ଗୁ ସଚେତନତା ବାର୍ତା ଦେଇଛି । ବର୍ତମାନ ବର୍ଷା ଋତୁରେ ବିଭିନ୍ନ ପାତ୍ରରେ ପାଣି ଜମିବା ଏବଂ ଭୁବନେଶ୍ବରର ବିଭିନ୍ନସ୍ଥାନରେ ଏହାକୁ ଲକ୍ଷ୍ୟକରି ଆମ ନାଗରିକମାନେ ଏଥିପାଇଁ ଯଥେଷ୍ଟ ସଚେତନ ହେବାର ସମୟ ଆସିଛି । କେବଳ ସେତିକି ନୁହେଁ , ଏଥିପାଇଁ ମିଳିତ ପଦକ୍ଷେପ ମଧ୍ୟ ଜରୁରୀ ବୋଲି କହିଛନ୍ତି ମେୟର ଶ୍ରୀମତୀ ଦାସ । ଯଦି କୌଣସି ସ୍ଥାନରେ ପାଣି ଜମିବାଭଳି ଚା କପ୍ , ଭଙ୍ଗା ଡବା , ବୋତଲ , ବିଭିନ୍ନ ପାତ୍ର , ପଇଡ ଇତ୍ୟାଦି ପଡିରହିଥିବାର ଦେଖୁଛନ୍ତି ସେଗୁଡିକୁ ନଷ୍ଟ କରି ଦିଅନ୍ତୁ । କାରଣ ଏଥିରେ ପାଣି ଜମି ରହିଲେ ମାଶା ଅଣ୍ଡା ଦେଇ ବଂଶ ବୃଦ୍ଧି କରିବ । ତେଣୁ ମଶା ଅଣ୍ଡା ଦେବା ଉତ୍ସକୁଗୁଡିକୁ ତତ୍‌କ୍ଷଣାତ ନଷ୍ଟ କରିଦିଅନ୍ତୁ । ଫଳରେ ବର୍ଷା ଜଳ ଜମି ସେଥିରେ କେବେବି ପାଣି ରହିବ ନାହିଁ ଏବଂ ମଶା ଜନ୍ମ ହୋଇପାରିବେ ନାହିଁ । ଏହି ଅଭ୍ୟାସ ପ୍ରତ୍ୟେକ ବ୍ୟକ୍ତି ପାଳନ କଲେ ଆମେ ଡେଙ୍ଗୁ ଭଳି ଅନେକ ରୋଗକୁ ରୋକି ପାରିବା ବୋଲି କହିଛନ୍ତି । କେବଳ ବସ୍ତି ଅଂଚଳ ନୁହେଁ , ଭୁବନେଶ୍ଵର ମହାନଗର ନିଗମର ସମସ୍ତ ଅଧିକାରୀ , କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ବିଏମ୍‌ସିର ବିଭିନ୍ନ ଅଂଚଳ ବୁଲୁଛନ୍ତି ଏବଂ ମଶା ଉତ୍ସଗୁଡିକୁ ନଷ୍ଟ କରିବା ସହିତ ନିୟମିତ ମଶା ଧୂଆଁ ଦେବା , ଟାୟାର ଇତ୍ୟାଦି ବିଭିନ୍ନ ସ୍ଥାନରୁ ନେଇ ନଷ୍ଟ କରିବା କୌଣସି ଡେଙ୍ଗୁ ରୋଗୀ ଦେଖାଦେବା ମାତ୍ରେ ସେହି ସ୍ଥାନରେ ସ୍ବାସ୍ଥ୍ୟକର୍ମୀ ପହଂଚି ସ୍ଥିତି ଅନୁଧ୍ୟାନ କରିବା , ଜୋନ୍ ଅନୁଯାୟୀ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିବା ଓ ପଦକ୍ଷେପ ନେବାକୁ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ନିୟମିତ ‘ ଡ୍ରାଏ ଡେ ’ ପାଳନ କରାଯାଉଛି ବୋଲି କହିଥିଲେ । ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ସୂଚନାଯୋଗ୍ୟ କି ସମସ୍ତ ୱାର୍ଡରେ ଗୁରୁବାର ଏବଂ ଶନିବାରକୁ ‘ ଡ୍ରାଏ ଡେ ’ ଭାବେ ପାଳନ କରାଯାଉଛି । ଏହି ପଦକ୍ଷେପ ସମସ୍ତ କର୍ପୋରେଟର ନିଜ ନିଜ ୱାର୍ଡରେ ମଧ୍ୟ କରାଉଛନ୍ତି । ଗୋଷ୍ଠୀ ସହଭାଗିତାରେ ୱାର୍ଡ କୋର୍ କମିଟିରେ ଥିବା ସମସ୍ତ ସଦସ୍ୟ / ସଦସ୍ୟା , ଏନ୍‌ଜିଓ ଏବଂ ଗୋଷ୍ଠୀ କାର୍ମୀମାନେ ଯୋଗଦେଇ ଏହାକୁ ଆଗେଇ ନେଉଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ , ନଗର ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବିଶୋଇ , ଅତିରିକ୍ତ ଜିଲ୍ଲା ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର , ଆଂଟି ଲାର୍ଭା ୱାର୍କର , ଅଙ୍ଗନୱାଡି ଏବଂ ଆଶାକର୍ମୀଙ୍କ ସମେତ ସ୍ଥାନୀୟ ଏସ୍ଏଚ୍ଜିମାନେ ଅଂଶଗ୍ରହଣ କରିଥିଲେ । ସାମୟିକ ପଦଯାତ୍ରା ପରେ ମାନନୀୟ ମେୟର ଏବଂ ବିଏମ୍‌ସି ଅଧିକାରୀମାନେ ଅଂଚଳର ବିଭିନ୍ନ ନାଳ ଏବଂ କେତେକ ଘର ବୁଲି ଦେଖିଥିଲେ । ପାଣି ଜମି ରହିବା , ନାଳ ପାଣି ଅଟକିବା ଭଳି କେତେକ ସମସ୍ୟା ପାଇଁ ପଦକ୍ଷେନେବାକୁ ନିର୍ଦେଶ ଦେଇଛନ୍ତି । ଏହି ଅଂଚଳରେ ଇଡ୍‌ ନାଳର ସଫେଇ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଶୀଘ୍ର କାମ କରିବା ପାଇଁ କୁହାଯାଇଛି ।

Comments are closed.