ପୁଣି ହଇରାଣ କଲା ‘ସେବା’

ନୟାଗଡ଼ – ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ‘ସେବା ଏକ୍ସପ୍ରେସ’ ମେମୁ ଟ୍ରେନ ଯୋଗୁଁ ଯାତ୍ରୀମାନେ ପୁଣି ହଇରାଣ ହୋଇଛନ୍ତି । ପୂର୍ବରୁ ଜଙ୍ଗଲ ଭି‌ତରେ ଏହି ଟ୍ରେନ୍‌ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା। ସକାଳ ୬ଟା ୪୫ ମିନିଟରେ ଟ୍ରେନ୍ ଛାଡ଼ିବାକୁ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍‌ ସମୟରେ ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିଥିଲା । ଶେଷରେ ଟ୍ରେନ୍‌ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା। ତେବେ ଦୀର୍ଘ ସମୟ ଧରି ଟ୍ରେନ୍ ଷ୍ଟାର୍ଟ ହୋଇ ନଥବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାକୁ ନେଇ ଷ୍ଟେସନ ମାଷ୍ଟରଙ୍କୁ ଲୋକେ ଘେରି ପାଟିତୁଣ୍ଡ କରିଥିଲେ। ରେଳ ଷ୍ଟେସନରେ ଉତ୍ତେଜନା ଦେଖା ଦେଇଥିଲା । ଅଧିକାଂଶ ଯାତ୍ରୀ ଟ୍ରେନରୁ ଓହ୍ଲାଇ ଗନ୍ତବ୍ୟ ସ୍ଥଳକୁ ଅନ୍ୟ ବ୍ୟବସ୍ଥା କରି ଯାଇଥିଲେ ।

ସୂଚନାଯୋଗ୍ୟ, ଜୁଲାଇ ପହିଲାରେ ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା। ନୂଆଗାଁ ରୋଡ଼ରୁ ଅପରାହ୍ନ ୪:୧୫ରେ ଏହି ଟ୍ରେନ ଛାଡ଼ିବା ପରେ ମହୀପୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ନୂଆଗାଁ ଜଙ୍ଗଲ ମଧ୍ୟରେ ଏହାର ଇଞ୍ଜିନ ଅଚଳ ହୋଇଯାଇଥିଲା । ମରାମତି ପରେ ଟ୍ରେନଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଛାଡ଼ିଥିଲା ।

Comments are closed.