ଆଜିଠୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟର ସମୀକ୍ଷା କରିବେ ଓଇଆରସି

ଭୁବନେଶ୍ବର – ରାଜ୍ୟରେ ବିଦ୍ୟୁତ ବିତରଣ କଂପାନିଙ୍କ କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ -ଓଇଆର୍‌ସି ନିଷ୍ପତ୍ତି ନେଇଛନ୍ତି। ବିତରଣ କଂପାନିମାନଙ୍କ କାର୍ଯ୍ୟ ନେଇ ଆଜିଠୁ ସମୀକ୍ଷା ହେବ ।

ଓଇଆରସି ପକ୍ଷରୁ କୁହାଯାଇଛି ଯେ, ୨୦୨୦ ମସିହାଠାରୁ ଓଡ଼ିଶାର ଚାରିଟି ବିଦ୍ୟୁତ ବିତରଣ କଂପାନିର ୫୧ ପ୍ରତିଶତ ଅଂଶଧନ ଟାଟା ପାୱରକୁ ପର୍ଯ୍ୟାୟକ୍ରମେ ହସ୍ତାନ୍ତର ହୋଇଛି। ନିଷ୍ପତ୍ତି ମୁତାବକ, ଅଧିଗ୍ରହଣ କରିବା ଦିନଠାରୁ ୫ବର୍ଷ ମଧ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ସକାଶେ ଅର୍ଥ ବିନିଯୋଗ କରିବା କଥା। ଏହାଦ୍ବାରା ବିଦ୍ୟୁତ୍ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ। ଏ ଯାଏଁ ବିଦ୍ୟୁତ ବିତରଣ କଂପାନିମାନେ ଆବଶ୍ୟକ କରୁଥିବା ୫୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ୩ଲକ୍ଷ ଟଙ୍କା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିନିଯୋଗ ହୋଇଛି। ଏସବୁ ଅର୍ଥ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯାଇଛି।
ସର୍ତ୍ତ ଅନୁସାରେ, ବିତରଣ କଂପାନିମାନେ ଏକ ନିର୍ଦ୍ଦିଷ୍ଟ ହାରରେ ବିତରଣ ଜନିତ କ୍ଷତି କମାଇବା କଥା । କିନ୍ତୁ ଏହା ହେଉନାହିଁ । ବିଦ୍ୟୁତ୍ ଦର ବୃଦ୍ଧି ପଛରେ ଏହା ଗୋଟିଏ ବଡ଼ କାରଣ। ଏଣୁ ବିତରଣ କଂପାନିମାନେ ଏସବୁ ବଣ୍ଟନ ଜନିତ କ୍ଷତି କେତେ ପରିମାଣରେ ହ୍ରାସ କରିଛନ୍ତି, ସେ ସଂପର୍କରେ ଆୟୋଗ ତନାଘନା କରିବେ।

Comments are closed.