ଆଜି ଭାରତର ଚନ୍ଦ୍ରଯାନ – ୩ ମିଶନ

ନୂଆଦିଲ୍ଲୀ – ଭାରତୀୟ ମହାକାଶ ଗବେଷଣା ସଂଗଠନ -ଇସ୍ରୋ ଆଜି ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଯାଉଛି। ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଦ୍ବିତୀୟ ଲଞ୍ଚ୍ ପ୍ୟାଡ୍‌ରୁ ଅପରାହ୍ନ ୨ଟା ୩୫ରେ ଚନ୍ଦ୍ରଯାନକୁ ଉତକ୍ଷେପଣ କରାଯିବ । ଏକ ସଫଳ ମିସନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିସନ୍ ପ୍ରସ୍ତୁତି ସମୀକ୍ଷା କମିଟି ଉତ୍‌କ୍ଷେପଣ ପାଇଁ ମଂଜୁରି ଦେଇଛି। କମିଟିର ଅନୁମୋଦନ ପରେ ଲଞ୍ଚ୍ ପ୍ରାଧିକରଣ ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିସନ ଆରମ୍ଭ କରିବାକୁ ଅନୁମତି ଦେଇଛି। ୪୩.୫ ମିଟର ଏଲ୍‌ଭିଏମ୍‌-୩ ଲଞ୍ଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧ ବୃତ୍ତାକାର ପୃଥିବୀ କକ୍ଷପଥକୁ ପଠାଇବ। ଏହାପରେ ଚନ୍ଦ୍ରଯାନ ତା’ର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି।

ଦେଶର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ -୩’ର ଉତକ୍ଷେପଣ ପାଇଁ ୨୫.୩୦ ଘଣ୍ଟିଆ ଅବଗଣନା ଗୁରୁବାର ଆରମ୍ଭ ହୋଇଥିଲା ।

ଆଜି ଲଞ୍ଚ୍ ହେବାକୁ ଥିବା ‘ଚନ୍ଦ୍ର ମିଶନ୍’ ହେଉଛି ୨୦୧୯ ‘ଚନ୍ଦ୍ରଯାନ-୨’ର ଏକ ଫଲୋଅପ୍ ମିଶନ୍ | ଭାରତର ଏହି ତୃତୀୟ ଚନ୍ଦ୍ର ମିଶନରେ ମଧ୍ୟ ମହାକାଶ ବିଜ୍ଞାନୀମାନେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡରର ‘ସଫ୍ଟ ଲ୍ୟାଣ୍ଡିଂ’ ପାଇଁ ଲକ୍ଷ୍ୟ ରଖିଛନ୍ତି। ‘ଚନ୍ଦ୍ରଯାନ-୨’ ମିଶନର ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ‘ବିକ୍ରମ’ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାରୁ ‘ସଫ୍ଟ ଲ୍ୟାଣ୍ଡିଂ’ କରିପାରିନଥିଲା । ଯଦି ଏଥର ମିଶନ ସଫଳ ହୁଏ, ତେବେ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ସଂଘ ଭଳି ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ ।

ଇସ୍ରୋ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ‘ଏଲଭିଏମ୩ଜମ୍୪-ଚନ୍ଦ୍ରଯାନ-୩ ମିଶନ: ଆଜି (ଶୁକ୍ରବାର-ଜୁଲାଇ ୧୪) ୧୪:୩୬ ଘଣ୍ଟା (ଅପରାହ୍ନ ୨:୩୫)ରେ ଲଞ୍ଚ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି |

ସ୍ପେସ୍ ଏଜେନ୍ସି କହିଛି ଯେ ‘ଚନ୍ଦ୍ରଯାନ-୩’ କାର୍ଯ୍ୟକ୍ରମ ଅଧୀନରେ ଇସ୍ରୋ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ-ଲ୍ୟାଣ୍ଡିଂ’ କରିବା ଏବଂ ଏହାର ଚନ୍ଦ୍ର ପୃଷ୍ଠରେ ରୋଭରର ପରିକ୍ରମା ପ୍ରଦର୍ଶନ କରି ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି ।

Comments are closed.