ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀକୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ

ଭୁବନେଶ୍ୱର – ରାଜଧାନୀରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀକୁ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରମାନେ ହେଉଛନ୍ତି ଏ ଦେଶର, ଏ ସମାଜର ଭବିଷ୍ୟତ। ତେଣୁ ଛାତ୍ରମାନଙ୍କୁ କ୍ଷମତା ସଂପନ୍ନ କରିବା ପାଇଁ ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ରାଜ୍ୟ ସରକାର ମଜବୁତ କରୁଛନ୍ତି । ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦେଶର ଶ୍ରେଷ୍ଠ ମଧ୍ୟରେ ଅନ୍ୟତମ। ୨୦୦୦ ମସିହାରେ ରାଜ୍ୟରେ ୬ଟି ବିଶ୍ୱବିଦ୍ୟାଳୟ ଥିଲା। ଆଜି ୧୮ଟି ବିଶ୍ୱବିଦ୍ୟାଳୟ ହୋଇଛି। ୨୦୦୦ରେ ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଏବେ ୧୧ଟି ସରକାରୀ ମେଡିକାଲ କଲେଜ ହୋଇଛି।

ବିଜୁ ଛାତ୍ର ଜନତା ଦଳର ପଦାଧିକାରୀ ଓ କର୍ମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ବୃତ୍ତିରେ ବୃଦ୍ଧି କରାଯାଇଛି। ଓଡିଆ ଭାଷାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଓଡିଆ ଭାଷା ଓ ସାହିତ୍ୟ ଶିକ୍ଷା କରୁଥିବା ପିଲାମାନଙ୍କ ପାଇଁ ଫକିରମୋହନ ଛାତ୍ରବୃତ୍ତି ଯୋଜନା କରାଯାଇଛି। ଉଚ୍ଚମାନର ଗବେଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗବେଷଣା ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନସ୍ଥ ମାସିକ ୩୦ ହଜାର ଟଙ୍କାର ଫେଲୋସିପ୍ ଯୋଗାଇ ଦିଆଯାଉଛି । ସ୍କୁଲସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି। ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ରଖାଯାଇଛି। ୫-ଟି ସ୍କୁଲ ରୂପାନ୍ତରରେ ରାଜ୍ୟର ୪୩୦୦ରୁ ଅଧିକ ସ୍କୁଲର ଭିତ୍ତିଭୂମିରେ ରୂପାନ୍ତର ହୋଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆ ଆଶା, ନୂଆ ସ୍ୱପ୍ନ ଜାଗିଛି। ଆଗକୁ କଲେଜ ଭିତ୍ତିଭୂମିରେ ମଧ୍ୟ ୫-ଟି କାର୍ଯ୍ୟକ୍ରମରେ ରୂପାନ୍ତର ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଯୁକ୍ତି ସବୁବେଳେ ତାଙ୍କର ଫୋକସ ହୋଇ ରହିଛି। ସରକାରୀ ବିଭାଗ ମାନଙ୍କରେ ଏବେ ନିୟମିତ ଭର୍ତ୍ତି ଚାଲିଛି। ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଓଡ଼ିଶା ଏବେ ରାଜ୍ୟର ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ। ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ରାଜ୍ୟକୁ ଆସିଛି । ଏଥିରୁ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। ଆଇଟି କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଆଇବିଏମ ଓ ଡେଲଏଟ ଭଳି କମ୍ପାନୀ ଭୁବନେଶ୍ବରରେ ସେମାନଙ୍କ ବିକାଶ କେନ୍ଦ୍ର ଖୋଲିଛନ୍ତି। ଏସବୁ ସଫଳତାକୁ ବନ୍ଧୁମାନଙ୍କ ପାଖରେ ପହଞ୍ଚାଇବାକୁ ବିଜୁ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ବିରୋଧୀଙ୍କ ବିଭ୍ରାନ୍ତିକର ସୂଚନାର ମୁକାବିଲା ପାଇଁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ। ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ । ଆମର ‘ମୋ ସରକାର’ ଆଜି ସାଧାରଣ ଲୋକଙ୍କୁ ସଶକ୍ତ କରିଛି। ସରକାର ଆଜି ଲୋକଙ୍କ ଦୁଆରେ ସେବା ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାହାନଗା ଟ୍ରେନ ଦୁର୍ଘଟଣା ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ରକ୍ତଦାନ ପାଇଁ ବିଜୁ ଛାତ୍ର ଜନତା ଦଳର କର୍ମୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.