ଜାତୀୟ ସ୍ତରରେ ଓଡ଼ିଶା ପୁଣି ପୁରସ୍କୃତ: ଗଞ୍ଜାମ ଜିଲ୍ଲାକୁ ମିଳିଲା ‘ଭୂମି ସମ୍ମାନ’

ଛତ୍ରପୁର: ବିଭିନ୍ନ କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ କରି ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଶଂସିତ ତଥା ପୁରସ୍କୃତ ହୋଇ ଆସୁଛି ଗଞ୍ଜାମ ଜିଲ୍ଲା। ଏବେ ଗଞ୍ଜାମ ଜିଲ୍ଲା ପୁଣି ରାଜ୍ୟ ପାଇଁ ସୁନାମ ଆଣିଛି। ବିଗତ ଦିନମାନଙ୍କରେ ଜାତୀୟ ପଞ୍ଚାୟତ, ଜାତୀୟ ଜଳ ସଂରକ୍ଷଣ ଆଦି ପୁରସ୍କାର ପାଇଛି ଗଞ୍ଜାମ ଜିଲ୍ଲା। ଆଉ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ କେନନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ‘ଭୂମି ସମ୍ମାନ’ ପୁରସ୍କାର ସହ ପ୍ଲାଟିନମ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି। ଭୂମି ସଂସ୍କାର କ୍ଷେତ୍ରରେ ଗଞ୍ଜାମ ସମେତ ଦେଶର ଶ୍ରେଷ୍ଠ ୭୫ ଜିଲ୍ଲାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଭୂମି ସଂସ୍କାର ନିମନ୍ତେ ଗଞ୍ଜାମ ଜିଲ୍ଲାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ଯଥା ଜମିପଟ୍ଟାର କମ୍ପୁଟରୀକରଣ, ଜମି ରେଜିଷ୍ଟ୍ରେସନ୍ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ଵଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ ରୁମ୍ ପରିଚାଳନା ଓ ଜମିଜମା କାଗଜପତ୍ରର ସ୍କାନିଂ ଏବଂ କମ୍ପୁଟରୀକରଣ, ତହସିଲ ଓ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ଆଦି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ୨୩ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଆଦେଶ ପ୍ରକାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର୍ ଦୟାସିନ୍ଧୁ ପରିଡ଼ା, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ପୁରସ୍କାର ଗ୍ରହଣ କରିଛନ୍ତି।

Comments are closed.