ମଳ ମାସ ବା ପୁରୁଷୋତ୍ତମ ମାସ ଆରମ୍ଭ, ଜାଣନ୍ତୁ କଣ ରହିଛି ଏହାର ତାତ୍ପର୍ଯ୍ୟ

ଏ ବର୍ଷ ପଡିଛି ଯୋଡ଼ା ଶ୍ରାବଣ। ଏଇ ଦୁଇ ଶ୍ରାବଣ ମାସ ମଧ୍ୟରୁ ଅଧା ମଳ ଏବଂ ଅଧା ଶୁଦ୍ଧ। ଶ୍ରାବଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଶୁଦ୍ଧ। ଏ ଅମାବାସ୍ୟା ହେଉଛି ଚିତାଲାଗି ଅମାବାସ୍ୟା। ତାହାର ପରଦିନ, ଅର୍ଥାତ୍ ଶୁକ୍ଳ ପ୍ରତିପଦଠାରୁ ମଳ ଶ୍ରାବଣ ମାସର ଆରମ୍ଭ। ସେଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫ ଦିନ ଏବଂ କୃଷ୍ଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ- ଏହିପରି ଏକମାସ ହେଉଛି ମଳ ଶ୍ରାବଣ ମାସ। ଅମାବାସ୍ୟାର ପରଦିନ, ଅର୍ଥାତ୍ ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶୁଦ୍ଧକାଳ।

ମଳ ମାସ ବା ପୁରୁଷୋତ୍ତମ ମାସ ହେଉଛି ଚାନ୍ଦ୍ରମାସ ଓ ସୌରମାସ ମଧ୍ୟରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ ।

ସୌରମାନ ବର୍ଷ (୧୨ଟି ସୌରମାସର ପରିମାଣ) ୩୬୫ ଦିନ ୬ ଘଣ୍ଟା, ଚାନ୍ଦ୍ରମାନ ବର୍ଷ (୧୨ଟି ଚାନ୍ଦ୍ରମାସର ପରିମାଣ) ପ୍ରାୟ ପରିମାଣ ୩୫୪ ଦିନ । ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ । ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ ମାସର ନାମରେ ନାମିତହୁଏ ଯଥା କାର୍ତ୍ତିକମଳ, ବୈଶାଖମଳ ଇତ୍ୟାଦି । ମଳମାସ ଫାଲଗୁନଠାରୁ ମାର୍ଗଶୀର ଏହି ୧୦ ମାସରେ ପଡ଼େ । ପୁଷମାସ କେବେହେଁ ମଳମାସ ହୁଏନାହିଁ ଓ ମାଘରେ କ୍ୱଚିତ ମଳମାସ ପଡ଼େ । ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ । ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ନିର୍ଦ୍ଦିଷ୍ଟ ଋତୁରେ ପଡ଼େ।

ଆମ ପରମ୍ପରା ଓ ଚଳଣି ଅନୁସାରେ, ମଳମାସ ଅଶୁଭ। ଏଣୁ ଏହି ମାସରେ ସମସ୍ତ ଶୁଭକର୍ମ ବର୍ଜନୀୟ। କିନ୍ତୁ ଏହି ମାସର ଗୋଟିଏ ବିଶେଷତ୍ୱ ଅଛି। ବିଶେଷତ୍ୱଟି ହେଉଛି- ଏ ମାସର ନାମ ‘ପୁରୁଷୋତ୍ତମ ମାସ’। ଏହିନାମ ଅଶୁଭ ମଳମାସ କୁ ଅଶୁଭତାରୁ ମୁକ୍ତ କରିଛି।

ଅଶୁଭ ମଳମାସ କିପରି ‘ପୁରୁଷୋତ୍ତମ ମାସ’ର ଶୁଭ ନାମ ପାଇଲା, ସେ ସଂପର୍କରେ ଗୋଟିଏ ସୁନ୍ଦର ପୌରାଣିକ ଉପାଖ୍ୟାନ ଅଛି। ବର୍ଷର ବାର ମାସ ପାଇଁ ଭଗବାନ ବିଷ୍ଣୁଙ୍କର ବାରଟି ନାମ ଅଛି। ଶ୍ରାବଣରେ ତାଙ୍କର ନାମ ‘ଶ୍ରୀଧର’। କିନ୍ତୁ ଏହି ନାମ ଶ୍ରାବଣ ମାସର ଶୁଦ୍ଧକାଳ ପାଇଁ ହିଁ ପ୍ରଯୁକ୍ତ।
‘ବୃହନ୍ନାରଦୀୟ ପୁରାଣ’ ଅନୁସାରେ,ଏହିପରି ଭାବରେ ଭଗବାନ ବିଷ୍ଣୁ ଭିନ୍ନଭିନ୍ନ ନାମରେ ବିଭିନ୍ନ ମାସର ଅଧିପତି ହୋଇଥିବାବେଳେ, ମଳମାସର କେହି ଅଧିପତି ନଥିଲେ। ତେଣୁ ସେହି ମାସରେ ସମସ୍ତ ଶୁଭକର୍ମ ବର୍ଜନୀୟ ଥିଲା। ସେଥିପାଇଁ ମନଦୁଃଖରେ ଦିନେ ମଳମାସ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲା। ତା’ର ଦୁଃଖର କାରଣ ଶୁଣି ଭଗବାନ ବିଷ୍ଣୁ କହିଲେ, “ମୁଁ ଯେପରି ତ୍ରିଲୋକ ରେ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ ଓ ପରିବ୍ୟାପ୍ତ, ସେହିପରି ଏହି ଅଧିମାସ ‘ପୁରୁଷୋତ୍ତମ ମାସ’ ନାମରେ ପ୍ରଖ୍ୟାତ ହେବ। ମୋର ସମସ୍ତ ଗୁଣ ମୁଁ ଏହି ମାସକୁ ପ୍ରଦାନ କଲି। ଏଣିକି ସଂସାରରେ ଓ ଶାସ୍ତ୍ରରେ ଏ ମାସ ମୋ ନାମରେ ହିଁ ପରିଚିତ ହେବ। ସେହିଦିନୁ ମଳମାସ ‘ପୁରୁଷୋତ୍ତମ ମାସ’ ନାମରେ ପରିଚିତ ହେଲା।

ଏଣୁ ମଳ ମାସରେ କୌଣସି ବେଦବିହିତ ଓ ସ୍ମୃତି ଶାସ୍ତ୍ର ସମର୍ଥିତକର୍ମ ବା ଶୁଭକର୍ମ କରାଯିବାନିଷେଧ ହୋଇଥିଲେ ମଧ୍ୟ,ଏହିପରି ଏକ ‘ପୁରୁଷୋତ୍ତମ ମାସ’ ବା ‘ଯୋଡ଼ା ଆଷାଢ଼’ପଡ଼ିଲେ ଶ୍ରୀଜଗନ୍ନାଥ ଙ୍କର ନବକଳେବର ନୀତି ଅନୁଷ୍ଠିତ ହୋଇଥାଏ।

Comments are closed.