୫-ଟି ରୂପାନ୍ତରଣ ଶେଷ ପର୍ଯ୍ୟାୟ: ଗଞ୍ଜାମ ଜିଲ୍ଲାର ୧୫୧ ଉଚ୍ଚବିଦ୍ୟାଳୟ ସାମିଲ

ବ୍ରହ୍ମପୁର: ୫-ଟି ଉପକ୍ରମ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ତ୍ବରିତ ଗତିରେ ଆଗେଇ ଚାଲିଛି। ହାଇସ୍କୁଲ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ତିନି କଲେଜଗୁଡ଼ିକର ରୂପାନ୍ତରଣ ପାଇଁ ଅନୁଦାନ ମଞ୍ଜୁର କରାଯାଉଛି। ଗଞ୍ଜାମ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟାରେ ଜିଲ୍ଲାର ମୋଟ ୧୫୧ ଗୋଟି ହାଇସ୍କୁଲର ନବକଳେବର ହେବ। ସେଥିରେ ବ୍ରହ୍ମପୁର ମହାନଗରର ୪ ଗୋଟି ଉଚ୍ଚବିଦ୍ୟାଳୟ ରହିଛି।

ସେଗୁଡ଼ିକ ହେଲା କେ.ସି. ଟାଉନ୍ ହାଇସ୍କୁଲ, କେ.ସି. ବାଳକ ଉଚ୍ଚବିଦ୍ୟାଳୟ, କେ.ସି. ବାଳିକା ଉଚ୍ଚବିଦ୍ୟାଳୟ ଏବଂ ଲାଞ୍ଜିପଲ୍ଲୀ ବାଳିକା ହାଇସ୍କୁଲ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ମୋଟ ୬୩୦ ଗୋଟି ହାଇସ୍କୁଲ ରହିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୩୩ ଗୋଟି ହାଇସ୍କୁଲ, ଦ୍ବିତୀୟ ପର୍ଯ୍ୟାୟରେ ୨୩୩ ଗୋଟି, ତୃତୀୟ ପର୍ଯ୍ୟାୟରେ ୧୦୭ ଗୋଟି ହାଇସ୍କୁଲ ରୂପାନ୍ତରଣ ହୋଇସାରିଛି। ଅବଶିଷ୍ଟ ୧୫୧ ଗୋଟି ଉଚ୍ଚବିଦ୍ୟାଳୟର ରୂପାନ୍ତରଣ ଚତୁର୍ଥ ପର୍ଯ୍ୟାୟରେ ସମ୍ପନ୍ନ ହେବ। ଏ ସମ୍ପର୍କରେ ୫-ଟି ସଚିବ ଭି. କେ.ପାଣ୍ଡିଆନ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଆବଶ୍ୟକ କାର୍ଯ୍ୟ ତ୍ବରାନ୍ବିତ କରି ଡିସେମ୍ବର ଶେଷ ସୁଦ୍ଧା ରୂପାନ୍ତରଣ ପ୍ରକ୍ରିୟା ସାରିବାକୁ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କୁ କୁହାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧୁକାରୀ ବିନିତା ସେନାପତି।

ରୂପାନ୍ତରଣ ସ୍କୁଲରେ ନୂତନ ସ୍ମାର୍ଟ ଶ୍ରେଣୀ କକ୍ଷ, ଇ-ଲାଇବ୍ରେରୀ, କମ୍ପ୍ୟୁଟର୍ ଲ୍ୟାବ, ଅତ୍ୟାଧୁନିକ ପରୀକ୍ଷାଗାର (ବିଜ୍ଞାନ ଲ୍ୟାବ୍), ଉନ୍ନତ ଖେଳ ପଡ଼ିଆ, ଚତୁଃପାର୍ଶ୍ବ ପାଚେରୀ, ଉନ୍ନତ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଆଦି ବ୍ୟବସ୍ଥା କରାଯାଉଛି। ନବକଳେବର ପରେ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଅଧିକ ଆକୃଷ୍ଟ କରିବ। ଶିକ୍ଷା ଉପଯୋଗୀ, ଆନନ୍ଦମୟ ବାତାବରଣରେ ସେମାନେ ଅଧିକ ଭଲ ଭାବେ ପଢ଼ି ନିଜକୁ ଗଢ଼ି ପାରିବେ ବୋଲି ଆଶା କରାଯାଉଛି। ବ୍ରହ୍ମପୁର ମହାନଗରରେ ୫-ଟି ସଚିବଙ୍କ ଭିଡିଓ କନଫରେନ୍ସିଂ ଆଲୋଚନା ବେଳେ ମେୟର୍ ସଂଘମିତ୍ରା ଦଳେଇ, ବିଏମ୍‌ସି କମିଶନର ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଡେପୁଟି କମିଶନର୍ ବିନୋଦ ବେହେରାଙ୍କ ସମେତ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଗଣ ଉପସ୍ଥିତ ଥିଲେ।

Comments are closed.