ବେଙ୍ଗାଲୁରୁ ବୈଠକରୁ କାହିଁକି ଶୀଘ୍ର ଫେରି ଆସିଲେ ନୀତିଶ?

ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀଙ୍କ ଦୁଇ ଦିନିଆ ବୈଠକରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କାହିଁକି ଶୀଘ୍ର ଫେରି ଆସିଲେ ସେନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି | ନୀତିଶ କୁଆଡ଼େ କିଛି ପ୍ରସଙ୍ଗରେ ଅସନ୍ତୁଷ୍ଟ ଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ସେ ରାଜି ହୋଇନଥିଲେ ବୋଲି କୁହାଯାଉଛି | ବୈଠକ ପରେ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ନଦେଇ ଫେରି ଯାଇଥିଲେ ‌। ବିରୋଧୀଙ୍କ ବୈଠକରୁ ଶୀଘ୍ର ଫେରିବାର କାରଣ କ’ଣ ଥିଲା ସେନେଇ ନୀତିଶ କୁମାର ମୁହଁ ଖୋଲିଛନ୍ତି ।

ବୁଧବାର ରାଜଗୀରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପହଞ୍ଚିଥିବା ନୀତୀଶ କୁମାର ମଧ୍ୟ ଏହି ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ । ନୀତିଶ କହିଛନ୍ତି, ବେଙ୍ଗାଲୁରୁ ବୈଠକରୁ ସେ ଶୀଘ୍ର ଫେରିଵା ନେଇ ଯେଉଁ ସବୁ ଚର୍ଚ୍ଚା ହେଉଛି ତାହା ସବୁ ଫାଲତୁ କଥା ଓ କେବଳ ଗୁଜବ। ବୈଠକରେ ସବୁକିଛି ଆଲୋଚନା ହେବା ପରେ ହିଁ ସେ ଫେରିଥିଲେ । ସେ କହିଛନ୍ତି ଯେ ତାଙ୍କୁ ରାଜଗୀର ଯିବାର ଥିଲା । ତେଣୁ ସେ ବେଙ୍ଗାଲୁରୁ ବୈଠକରୁ ଶୀଘ୍ର ଫେରି ଆସିଥିଲେ । ନୀତିଶ କହିଛନ୍ତି, ଦେଶର ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ । ବୈଠକରେ ଆମେ ଯାହା କହିଥିଲୁ ତାହା ଗୃହୀତ ହୋଇଥିଲା । ଆମେ ସମସ୍ତେ ୨୦୨୪ ନିର୍ବାଚନ ଏକାଠି ଲଢିବୁ । ୨୦୨୪ ନିର୍ବାଚନ ବିରୋଧୀଙ୍କ ପାଇଁ ବହୁତ ଭଲ ହେବ |

ଅନ୍ୟପକ୍ଷରେ ନୀତୀଶ କୁମାର ଅସନ୍ତୋଷ ଥିବା ଚର୍ଚ୍ଚାକୁ ଜେଡିୟୁ ନେତା ଲଲନ ସିଂହ ପୂରାପୂରି ଖଣ୍ଡନ କରିଛନ୍ତି । ସେ କହିଛନ୍ତି, “ନୀତୀଶ କୁମାର ହେଉଛନ୍ତି ସେହି ନେତା ଯିଏ ବିରୋଧୀଙ୍କୁ ଏକଜୁଟ କରିଛନ୍ତି ଏବଂ ସମସ୍ତଙ୍କୁ ଏକାଠି ଆଣିଛନ୍ତି । ସେ କେବେ ବି ଅସନ୍ତୁଷ୍ଟ ହେବେ ନାହିଁ। ”

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଏକଜୁଟ ହେବା ପାଇଁ ବିରୋଧୀଙ୍କ ଉଦ୍ୟମ ଶେଷରେ ଏକ ମେଣ୍ଟର ରୂପ ନେଇଛି। ଏଥିରେ ସାମିଲ ଥିବା ୨୬ଟି ଦଳର ନେତା ଏବେ ପାଟନା ଏବଂ ବେଙ୍ଗାଲୁରୁ ପରେ ପୁଣି ମୁମ୍ବାଇରେ ଭେଟିବେ। ୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବାରେ ଏହି ମେଣ୍ଟ ସକ୍ଷମ ହେବ ବୋଲି ସମସ୍ତ ବିରୋଧୀ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Comments are closed.