ଦାରିଙ୍ଗବାଡି: ଭୂସ୍ଖଳନ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ

ଫୁଲବାଣୀ: ଏବେ ବର୍ଷା ଋତୁ। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କନ୍ଧମାଳ ଜିଲ୍ଲାରେ ଗତ ମାସ ଅପେକ୍ଷା ବୃଷ୍ଟିପାତ ଅଧିକ ହୋଇଛି। ଆଗକୁ ଲଘୁଚାପ ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇବା ସହିତ କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି। ଏହାକୁ ନେଇ ସଜାଗ ହୋଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ସମ୍ଭାବ୍ୟ ବିପଦକୁ ନଜରରେ ରଖି ଦାରିଙ୍ଗବାଡ଼ି ବ୍ଲକ୍ ପ୍ରଶାସନ ଆଗୁଆ ପ୍ରତିକାର ପଦକ୍ଷେପ ଗ୍ରହଣ କରିଛି। ଗତବର୍ଷର ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଭୂସ୍ଖଳନ ହୋଇଥିବା ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଗ୍ରାମ ନିକଟ ପାହାଡ଼ ଓ ଆଖପାଖ ଇଲାକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉକ୍ତ ସ୍ଥାନକୁ ଯିବାକୁ ସର୍ବସାଧାରଣଙ୍କୁ ବାରଣ କରାଯାଇଛି। ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଶରତ ଶବର ଗୁରୁବାର କୁମ୍ଭାରୀପଦରରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଗାଁ ଲୋକଙ୍କୁ ସଚେତନ କରାଇବା ସହ ଭୂସ୍ଖଳନ ଅଞ୍ଚଳର ପ୍ରବେଶ ପଥକୁ ସିଲ୍ କରିଛନ୍ତି। ନିଷିଦ୍ଧାଞ୍ଚଳକୁ କେହି ନଯିବାକୁ ଓ ଏପରି କରି ନିଜକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ସତର୍କ କରାଇ ଦେଇଛି।

Comments are closed.