ଶ୍ରୀକୃଷ୍ଣ ଲୀଳା ଅଵସରରେ ଶ୍ରୀଜୀଉଙ୍କ ବନଭୋଜି ବେଶ

ଭାଦ୍ରବ ମାସ କୃଷ୍ଣ ପକ୍ଷ ଜନ୍ମାଷ୍ଟମୀ, ନନ୍ଦୋତ୍ସଵ ପରେ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଅନୁଷ୍ଠିତ ହୋଇଯାଇଛି ବନଭୋଜି ବେଶ। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଗୋପାଳ ବାଳକ ସଙ୍ଗେ ବୃନ୍ଦାବନରେ ଗାଈ ଚରାଉଥିବା ସମୟରେ ବନରେ ବଣଭୋଜି କରିଥିବା ଦୃଶ୍ୟକୁ ସ୍ମରଣ କରାଇ ଏହି ବେଶ ହୋଇଥାଏ। ଇତିହାସ କୁହେ ପଞ୍ଚଦଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବ ଏହିବେଶ ପ୍ରଚଳନ କରିଥିଲେ।

ପ୍ରତିବର୍ଷ ପରି ଚଳିତ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ସନ୍ଧ୍ୟାଧୂପ ପରେ ଏହି ବେଶରେ ଭକ୍ତଂକୁ ଦର୍ଶନ ଦେଇଥିଲେ ମହାପ୍ରଭୁ। ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉଙ୍କୁ ସ୍ଵର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରିଥିଲେ। ଠାକୁର ମାନଙ୍କୁ ସ୍ଵର୍ଣ୍ଣର ଶ୍ରୀ ପୟର, ଶ୍ରୀଭୁଜ, ଚନ୍ଦ୍ରିକା, କିଆ କିରିଟ, ଆଡକାନି, ଅଣ୍ଟାପଟି, କର୍ଣ୍ଣ କୁଣ୍ଡଳ, ତଡକି, ମୁଖପଦ୍ମ, ତିଳକ, ସୁର୍ଯ୍ୟ ଚନ୍ଦ୍ର ହାର ୧୫ ମୂର୍ତ୍ତି ( ବଳଭଦ୍ର- ୫, ସୁଭଦ୍ରା- ୩, ଜଗନ୍ନାଥ- ୭ )। ଶ୍ରୀଜଗନ୍ନାଥ ଦକ୍ଷିଣ ହସ୍ତରେ ବଂଶୀ, ବାମ ହସ୍ତରେ ଶିକା ଏବଂ ରୂପା ପିଙ୍ଗଣରେ କ୍ଷୀର ସର ଧାରଣ କରିଥିଲେ। ଏହି କ୍ଷୀର ପସରା କୁ ମହାଭୋଇ ସେବକ ଯୋଗାଇ ଦେଇଥିଲେ। ସେହିପରି ବଳଭଦ୍ର ଦକ୍ଷିଣ ହସ୍ତରେ କ୍ଷୀରପସରା ଓ ବାମ ହସ୍ତରେ ସିଙ୍ଗା ଧାରଣ କରିଥିଲେ। ଉଭୟ ଙ୍କ ପାଦ ତଳେ ଦୁଇଟି କରି ଚାରୀଟି ଗାଈ ରଖାଯାଇଥିଲା। ଠାକୁରମାନେ ଖଣ୍ଡୁଆ ଉପରେ ବୋଇରାଣୀ ଶାଢ଼ୀ ପିନ୍ଧିଥିଲେ। ଏହାସହ ପୁଷ୍ପମାଲ୍ୟ, ଚୂଳ, ନାକୁଆସି, ଚିତା ଓ ଝୁମ୍ପା ପିନ୍ଧିଥିଲେ। ବେଶ ବଢିବା ପରେ ଶ୍ରୀଜୀଉ ମାନଙ୍କ ସନ୍ଧ୍ୟାଧୂପ ନୀତି ସମ୍ପର୍ଣ୍ଣ ହୋଇଥିଲା।

Comments are closed.