ଭୁବନେଶ୍ବର – ନିଜର କର୍ମମୟ ଓ ସଫଳ ରାଜନୈତିକ କ୍ୟାରିୟରର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭାରତର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏ କ୍ଷେତ୍ରରେ ସେ ପଶ୍ଚିମବଙ୍ଗର ଦିବଂଗତ ମୁଖ୍ୟମତ ଜ୍ୟୋତି ବସୁଙ୍କୁ ପଛରେ ପକାଇଛନ୍ତି ନବୀନ ।
୧୯୯୭ରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ। ସେତେବେଳେ ହୁଏତ କେହି ବି କଳ୍ପନା କରିନଥିବେ ଯେ,ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପୁଅ ଦିନେ ରାଜନୀତିରେ ସଫଳତାର ଶିଖର ସୋପାନରେ ପହଞ୍ଚିବେ ।
ନବଗଠିତ ବିଜୁ ଜନତା ଦଳକୁ ନିର୍ବାଚନୀ ବିଜୟର ସ୍ବାଦ ଚଖାଇଲା ପରେ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ। ଆରମ୍ଭ ହୋଇଥିଲା ଓଡିଶାରେ ନବୀନ ଯୁଗ ।
ନବୀନ ପଟ୍ଟନାୟକ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହୋଇଛି ନୂଆ ରେକର୍ଡ ।
ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ସିକିମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗଙ୍କ ନାମରେ ରହିଛି ।
୨୩ ବର୍ଷର ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ । ଶ୍ରେଷ୍ଠ ପ୍ରଶାସକ, ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ଆରମ୍ଭ ହୋଇଛି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।
Comments are closed.