ମିଜୋରାମରେ ମଣିପୁର ହିଂସାର ପ୍ରଭାବ, ଧମକ ପରେ ମୈତେଇ ସମ୍ପ୍ରଦାୟର ଲୋକଙ୍କ ପଳାୟନ

ଗୁଆହାଟି: ମଣିପୁରରେ ହିଂସାର ପ୍ରଭାବ ଏବେ ପଡ଼ୋଶୀ ରାଜ୍ୟ ମିଜୋରାମରେ ବି ଦେଖିବାକୁ ମିଳିଛି। ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭାଇରାଲ ଭିଡିଓ ପରେ ମିଜୋରାମର ମୈତେଇ ସମ୍ପ୍ରଦାୟକୁ ରାଜ୍ୟ ଛାଡ଼ି ଚାଲିଯିବାକୁ ଧମକ ମିଳୁଛି । ଭୟରେ ମୈତେଇ ସମ୍ପ୍ରଦାୟର ୪୧ ଜଣ ଲୋକ ମିଜୋରାମ ଛାଡ଼ି ଆସାମରେ ପହଞ୍ଚିଛନ୍ତି। ମିଜୋରାମର ଏକ ଉଗ୍ରବାଦୀ ଗୋଷ୍ଠୀ ମୈତେଇ ସମ୍ପ୍ରଦାୟକୁ ରାଜ୍ୟ ଛାଡିବାକୁ ଚେତାବନୀ ଦେଇଛି ।

କଛାର ପୋଲିସ ଏସପି ନମଲ ମହାତ୍ମା କହିଛନ୍ତି ଯେ ଏହି ଲୋକମାନେ ଶନିବାର ରାତିରେ ପଡୋଶୀ ମିଜୋରାମରୁ ସିଲଚରରେ ପହଞ୍ଚିଛନ୍ତି । ପରେ ସେମାନେ ବିନାନାଣ୍ଡି ଅଞ୍ଚଳରେ ଲାଖୀପୁର ବିକାଶ ବ୍ଲକ ଭବନରେ ରହିଥିଲେ।

ସେ କହିଛନ୍ତି ଯେ ମିଜୋରାମରୁ ଆସିଥିବା ଏହି ସବୁ ପରିବାର ଆର୍ଥିକ ସ୍ୱଚ୍ଛଳ ବର୍ଗର ଅଟନ୍ତି । ସେମାନେ ନିଜ ନିଜ ଗାଡିରେ ଆସିଛନ୍ତି। କେତେକ କଲେଜ ପ୍ରଫେସର ହୋଇଥିବାବେଳେ କେତେକ ବରିଷ୍ଠ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ମିଜୋରାମରେ ମୈତେଇଙ୍କ ଉପରେ କୌଣସି ଆକ୍ରମଣ ଘଟଣା ଘଟିନାହିଁ ।

ମିଜୋରାମ ସରକାର ମୈତେଇ ସମ୍ପ୍ରଦାୟକୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇବାକୁ ଆଶ୍ବାସନା ଦେଇଛନ୍ତି । କିନ୍ତୁ ସେମାନେ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଏବଂ ନିଜ ସୁରକ୍ଷା ପାଇଁ ଆସାମ ଚାଲି ଆସିଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସେମାନେ ଏଠାରେ ରହିବେ। ଆସାମ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଉଛି।

Comments are closed.