ଟ୍ରେନ୍ ଭିତରେ ଅନ୍ତଃବସ୍ତ୍ର ପିନ୍ଧି ବୁଲିଲେ ବିଧାୟକ, ବିରୋଧ କରିବାରୁ ସହଯାତ୍ରୀଙ୍କୁ‌ ଧମକାଇଲେ

ନୂଆଦିଲ୍ଲୀ: ଟ୍ରେନ ଭିତରେ ଅନ୍ତଃବସ୍ତ୍ର ଓ‌ ଗଞ୍ଜୀ ପିନ୍ଧି ବୁଲୁଥିବା ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କ ଫଟୋ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ନେଇ ବିଧାୟକ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଟ୍ରେନରେ ଚଢ଼ିବା ମାତ୍ରେ କିଛି ଦୂର ଯିବା ପରେ ମୋ ପେଟ ଖରାପ ହୋଇଗଲା, ତେଣୁ ମୁଁ ଅନ୍ତଃବସ୍ତ୍ର ଏବଂ ଗଞ୍ଜୀରେ ଥିଲି ।

ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବିଧାୟକ ରାଜସ୍ଥାନ ଏକ୍ସପ୍ରେସରେ ପାଟନାରୁ ନୂଆଦିଲ୍ଲୀ ଯାଉଥିଲେ। ତାଙ୍କୁ ଗଞ୍ଜୀ ଏବଂ ଅନ୍ତଃବସ୍ତ୍ର ପିନ୍ଧି ଚଳନ୍ତା ଟ୍ରେନରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ତାଙ୍କର ସହ-ଯାତ୍ରୀ ତାଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ, ମଣ୍ଡଳ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ | ଏପରିକି ସେ ତାଙ୍କ ସହଯାତ୍ରୀଙ୍କୁ ଗୁଳି କରିବାକୁ ଧମକ ଦେଇଥିଲେ।

ଯାତ୍ରୀଙ୍କ ସହ ମଣ୍ଡଳ ଅଶ୍ଳୀଳ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନାନୁସାରେ, ଗୋପାଳ ମଣ୍ଡଳ ପାଟନା-ଦିଲ୍ଲୀ ତେଜସ ଟ୍ରେନରେ ଯାତ୍ରା କରୁଥିଲେ। ଅଭିଯୋଗ ହୋଇଛି ଯେ ଯେତେବେଳେ ଯାତ୍ରୀ ତାଙ୍କୁ ଅନ୍ତଃବସ୍ତ୍ର ଏବଂ ଗଞ୍ଜୀ ପିନ୍ଧି ଟ୍ରେନ୍ ଭିତରେ ବୁଲିବା ନେଇ ଆପତ୍ତି ଉଠାଇଥିଲେ, ସେତେବେଳେ ସେ ତାଙ୍କୁ ଦୁର୍ବ୍ୟବହାର କରି ଗୁଳି କରିବାକୁ ଧମକ ଦେଇଥିଲେ। ଜଣେ ସହଯାତ୍ରୀ ପ୍ରହ୍ଲାଦ୍ ପାସୱାନ୍ ବିଧାୟକଙ୍କୁ କହିଥିଲେ ଯେ ଟ୍ରେନରେ ମହିଳା ମଧ୍ୟ ଅଛନ୍ତି, ଆପଣ ଜଣେ ଜନ ପ୍ରତିନିଧୀ ହୋଇ ଏମିତି ଆଚରଣ କିପରି କରିପାରୁଛନ୍ତି?

ସହଯାତ୍ରୀଙ୍କ ଠାରୁ ଏହା ଶୁଣିବା ପରେ ବିଧାୟକ ମଣ୍ଡଳ ରାଗିଯାଇ ତାଙ୍କୁ ଦେଖିଦେବେ ବୋଲି ଧମକ ଦେଇଥିଲେ।

Comments are closed.