ହିଂସା ମଧ୍ୟରେ ମଣିପୁରରେ ପଶିଲେଣି ୭୦୦ରୁ ଅଧିକ ମିଆଁମାର ନାଗରିକ, ଆସାମ ରାଇଫଲ୍ସକୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଇମ୍ଫାଲ / ନୂଆଦିଲ୍ଲୀ: ମଣିପୁର ସ୍ଥିତି ନେଇ ସଂସଦରୁ ରାସ୍ତା ଯାଏଁ ଝଡ଼ ଉଠିଥିବା ବେଳେ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଦୁଇ ଦିନ ମଧ୍ୟରେ ୭୦୦ରୁ ଅଧିକ ମିଆଁମାର ନାଗରିକ ବେଆଇନ ଭାବେ ରାଜ୍ୟରେ ପ୍ରବେଶ କରିଥିବା ଜଣାପଡ଼ିଛି ।

ଗୃହ ବିଭାଗ ଏପରି ଚିନ୍ତାଜନକ ସୂଚନା ଦେଇଛି। ଗୃହ ବିଭାଗ ତରଫରୁ ସୋମବାର ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତି ଅନୁଯାୟୀ ଉପଯୁକ୍ତ ଦସ୍ତାବିଜ ବିନା ଜୁଲାଇ ୨୨ ଓ ୨୩ରେ ଅତି କମରେ ୭୧୮ ମିଆଁମାର ନାଗରିକ ଭାରତରେ ପ୍ରବେଶ କରିଥିଲେ । ଏହା କିପରି ସମ୍ଭବ ହେଲା ସେନେଇ ଆସାମ ରାଇଫଲ୍ସରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ମଣିପୁର ସରକାର । ଚାନ୍ଦ ଜିଲ୍ଲାର ଡେପୁଟି କମିଶନର ତଥା ପୋଲିସ ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଏବଂ ମିଆଁମାର ନାଗରିକଙ୍କ ବାୟୋମେଟ୍ରିକ୍ ଏବଂ ଫଟୋ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବେଆଇନ ମଣିପୁରରେ ପ୍ରବେଶ କରିଥିବା ମିଆଁମାର ନାଗରିକଙ୍କ ସହିତ ରାଜ୍ୟକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚାଲାଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ବୈଧ ଭିସା କିମ୍ବା ଯାତ୍ରା ଦସ୍ତାବିଜ ବିନା ମିଆଁମାର ନାଗରିକଙ୍କ ମଣିପୁରରେ ପ୍ରବେଶକୁ ରୋକିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୀମାରେ ମୁତୟନ ଥିବା ଆସାମ ରାଇଫଲ୍ସକୁ ମଣିପୁର ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ମିଆଁମାରରୁ ୭୧୮ ଶରଣାର୍ଥୀଙ୍କ ବେଆଇନ ପ୍ରବେଶକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । କାରଣ ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ପଡିପାରେ।

କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁଁ ଏହି ଉତ୍ତରପୂର୍ବ ରାଜ୍ୟ ଗତ ଚାରି ମାସ ଧରି ଅଶାନ୍ତ ହୋଇପଡିଛି । ଜାତିଗତ ହିଂସାରେ ଏଯାବତ୍ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ବିସ୍ଥାପିତ ହୋଇଛନ୍ତି।

Comments are closed.