ରାଜଭବନରେ ‘ଅତୁଟ ବନ୍ଧନ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଷ୍ଟ୍ରପତି, କଳିଙ୍ଗ ଅତିଥି ଭବନର କଲେ ଶିଳାନ୍ୟାସ 

ଭୁବନେଶ୍ୱର – ଆଜି ସଂଧ୍ୟାରେ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି। ‘ଅତୁଟ ବନ୍ଧନ’ ପରି ଏକ ଅଭିନବ ଅଭିଯାନ ପ୍ରଶଂସନୀୟ ଉଦ୍ୟମ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ଅଛି, ହେଲେ ଅର୍ଥ ନାହିଁ ।

ଏହି ବଣମଲ୍ଲୀଙ୍କୁ ବଣରେ ମଉଳିଯିବାକୁ ନ ଦେଇ ସାହାଯ୍ୟର ହାତ ବଢ଼ାଇଥିବାରୁ ‘ଅତୁଟ ବନ୍ଧନ’କୁ ସାଧୁବାଦ ଜଣାଇଛନ୍ତି ରାଷ୍ଟ୍ରପତି।

 

ଆଗକୁ ଆହୁରି ଅଧିକରୁ ଅଧିକ ବଣମଲ୍ଲୀମାନେ ଏହି ମହତ କାର୍ଯ୍ୟ ଦ୍ବାରା ଉପକୃତ ହେବେ ବୋଲି ଦେଶର ପ୍ରଥମ ନାଗରିକ କହିଛନ୍ତି।

ଆମ ସମାଜ ପାଇଁ ସ୍ଵାସ୍ଥ୍ୟସେବା ଗୁରୁତ୍ଵପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ମେଡିକାଲ ପଢ଼ିବା ପାଇଁ `ଅତୁଟ ବନ୍ଧନ’ ସାହାଯ୍ୟ କରୁଥିବା ଅତି ଆନନ୍ଦର କଥା । ଆମ ରାଜ୍ୟ ତଥା ଦେଶରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଡାକ୍ତର ହେବା ଆବଶ୍ୟକ । ଡାକ୍ତର ହେଲା ପରେ ଗାଁ ଗହଳିକୁ ଯାଇ ସ୍ଵାସ୍ଥ୍ୟସେବା କରିବାକୁ ଆଗଭର ହେବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି।

ଗରିବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେଇ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରେ ‘ଅତୁଟ ବନ୍ଧନ’ ଅନୁଷ୍ଠାନ । ଏହାର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତୀଶ ଚନ୍ଦ୍ର ବାସା । ମାତ୍ର ୧୪ ମାସ ହେବ ଏହି ସଂସ୍ଥା ଗଢି ଉଠିଛି। ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପିଲାଙ୍କ ସହ ଭାବ ବିନିମୟ ପାଇଁ ସମୟ ମାଗିଥିଲେ ପ୍ରୀତୀଶ । ଆଉ ପ୍ରୀତୀଶଙ୍କ ନିବେଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି।

ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଭବନ ପରିସରରେ କଳିଙ୍ଗ ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଉପସ୍ଥିତ ଥିଲେ ।

Comments are closed.