ଆଜି ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ

ନୂଆଦିଲ୍ଲୀ : ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ) ବୁଧବାର ଲୋକସଭାରେ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। ଏହି ଅନାସ୍ଥା ପ୍ରସ୍ତାବର ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ଏହାକୁ ଆଜି ଗୃହରେ ଉପସ୍ଥାପନ କରାଯିବ ।

ଅନାସ୍ଥା ପ୍ରସ୍ତାବ ନେଇ ଆଜି ପୂର୍ବାହ୍ନ ୧୦ଟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରକୋଷ୍ଠରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳମାନଙ୍କ ଏକ ବୈଠକ ହେବ। ଏହା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସାଂସଦଙ୍କ ସହ ଏକ ବୈଠକ କରିବେ। ଏହି ପ୍ରସଙ୍ଗରେ କଂଗ୍ରେସ ଏହାର ସମସ୍ତ ସାଂସଦଙ୍କୁ ହ୍ବିପ୍ ଜାରି କରିଛି।

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୨୦ରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ନିଷ୍ପତ୍ତି ନେଇଛନ୍ତି ଯେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୃହରେ ବିବୃତି ରଖିବାକୁ ବାଧ୍ୟ କରିବାକୁ ଅନାସ୍ଥା ପ୍ରସ୍ତାବ ହିଁ ସଠିକ୍ ମାଧ୍ୟମ ହେବ ।

ଇତି ମଧ୍ୟରେ ସଂସଦରେ ଅଚଳାବସ୍ଥା ଦୂର କରିବା ଉଦ୍ଦେଶ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ସହ ବୈଠକ କରିଥିଲେ ମଧ୍ୟ ଏଥିରେ କୌଣସି ସମାଧାନ ବାହାରିନଥିଲା । ଉଭୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଏବଂ ଏହା ପରେ ଆଲୋଚନା ପାଇଁ ଦାବି ଉପରେ ବିରୋଧୀ ଅଟଳ ରହିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଭୟ ଗୃହର ବିରୋଧୀଦଳ ନେତା ଅଧୀର ରଂଜନ ଚୌଧୁରୀ ଏବଂ ରାଜ୍ୟସଭାର ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ମଣିପୁରର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି।

Comments are closed.