ଏମଡ଼ିଏ ପ୍ରକ୍ରିୟା କାର୍ଯ୍ୟକାରୀ ନେଇ ଜିଲ୍ଲାସ୍ତରୀୟ ବୈଠକ, ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ନେଇ ଆଲୋଚନା

ବରଗଡ଼: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ସାମୁହିକ ଔଷଧ ସେବନ ପ୍ରକ୍ରିୟା (ଏମଡ଼ିଏ) କୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାସ୍ତରୀୟ ଦ୍ୱିତୀୟ ସମନ୍ୱୟ ସମିତି ବୈଠକ ଆୟୋଜିତ ହୋଇଛି । ବୈଠକରେ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ଆଗାମୀ ତା ୧୦-୦୮-୨୩ ରୁ ତା.୧୯-୦୮-୨୩ ପର୍ଯ୍ୟନ୍ତ ୨ ବର୍ଷରୁ ଅଧ‌ିକ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଫାଇଲେରିଆ ନିରାକରଣ ପାଇଁ ଔଷଧ ଖାଇବାକୁ ଦିଆଯିବ । ତିନୋଟି ଔଷଧର ସମାହାରରେ ନିର୍ମିତ ଏହି ଔଷଧ କିଟ୍ ଘରକୁ ଘର ବୁଲି ସ୍ବାସ୍ଥ୍ୟକର୍ମୀ ଆଶା ଓ ଆଙ୍ଗନୱାଡ଼ି କର୍ମୀମାନେ ଏହାକୁ ଖୁଆଇବେ । ବର୍ଷକୁ କେବଳ ଥରେ ମାତ୍ର ଏହାକୁ ସେବନ କରାଯିବା ବେଳେ ନିୟମିତ ଭାବରେ ୫ ବର୍ଷ ପର୍ଯ୍ୟନ୍ତ ସେବନ କରିବା ଜରୁରୀ । ବରଗଡ଼ ଜିଲ୍ଲାରେ ଏହା ତୃତୀୟ ବର୍ଷ ପାଇଁ ବଣ୍ଟନ କରାଯିବ ।

ବରଗଡ଼ ଜିଲ୍ଲାର ଅମ୍ବାଭୋନା, ଭେଡ଼େନ, ଗାଇସିଲେଟ, ବରପାଲି ଆଦି ବ୍ଲକରେ ଫାଇଲେରିଆ ପ୍ରବଣତା ଦେଖା ଦେଉଥ‌ିବା ବେଳେ ବର୍ଷକୁ ଥରେ ମାତ୍ର ଏହି ଔଷଧ ସେବନ ଦ୍ବାରା ଫାଇଲେରିଆକୁ ସଂପୂର୍ଣ୍ଣ ଭାବରେ ଆମ ଜିଲ୍ଲାରୁ ନିରାକରଣ କରାଯାଇ ପାରିବ । ସୁଚିନ୍ତିତ ଭାବରେ ଯୋଜନା କରି ପ୍ରତ୍ୟେକ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତ୍ୟେକ ଜନ ସାଧାରଣଙ୍କ ଘରେ ଯେଭଳି ଔଷଧ ପହଞ୍ଚି ପାରିବ ସେଥି ନିମିତ୍ତ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ, ଶ୍ରୀମତୀ ବାନାର୍ଜୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ସମ୍ପନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଏକ ମାରାତ୍ମକ ରୋଗ ହୋଇଥିବାରୁ ପ୍ରତ୍ୟେକ ଜନସାଧାରଣ, ଜନ ପ୍ରତିନିଧ‌ି, ଗଣମାଧ୍ୟମର ପ୍ରତିନିଧି ଫାଇଲେରିଆ ମୁକ୍ତି ଅଭିଯାନରେ ସହଯୋଗ କରି ଆମ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ବୈଠକରେ ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼. ଜିତେନ୍ଦ୍ର ମୋହନ ବେବର୍ତ୍ତା, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସ୍ଵାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ବିଭାଗୀୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.