ପଞ୍ଚମାସାନଭିବ୍ୟାପ୍ୟ ଭ୍ରମାଦ୍ ଯଦି ହରେଶ୍ଚ ତତ୍
ସ୍ୱାପକର୍ମ ଯଦା ଭୂୟାତ୍ତଦା ଲୋକେ ମହଦ୍ଭୟମ୍।
ଦେଶୋଚ୍ଛେଦନମତ୍ୟୁଗ୍ରଂ ରାଜା ନଶ୍ୟେତ୍ତଦା ଧ୍ରୁବମ୍।
-ନୀଳାଦ୍ରି ମହୋଦୟଃ, ୧୭/୩୩-୩୪
ଶାସ୍ତ୍ର ଅନୁସାରେ, ଚାରିମାସ ହେଉଛି ହରିଶୟନ ନୀତି। ଏହା ସାଧାରଣତଃ ଆଷାଢ଼ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୁଏ ଏବଂ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଶେଷ ହୁଏ। ଏହି ଅବଧି ମଧ୍ୟରେ କୌଣସି ମାସରେ ମଳମାସ ପଡ଼ିଲେ ବା ଗୋଟିଏ ମାସ ଅଧିକ ହେଲେ ମଧ୍ୟ, ହରିଶୟନ ନୀତି ସେହି ଚାରିମାସ ହିଁ ହୋଇଥାଏ; ପାଞ୍ଚମାସ ହୁଏ ନାହିଁ।
ଏ ସଂପର୍କରେ ଶ୍ରୀଜଗନ୍ନାଥଙ୍କ ସେବାପୂଜା ନୀତି ସମ୍ବଳିତ ଶାସ୍ତ୍ର ‘ନୀଳାଦ୍ରି ମହୋଦୟ’ର ସପ୍ତଦଶ ଅଧ୍ୟାୟରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ ଅଛି। ସପ୍ତଦଶ ଅଧ୍ୟାୟର ୩୨ତମ ଶ୍ଳୋକରେ କୁହାଯାଇଛି- ଏହି ଚତୁର୍ମାସ ମଧ୍ୟରେ ଯଦି କୌଣସି ମାସର ବୃଦ୍ଧିଦ୍ୱାରା ମଳମାସ ପଡ଼େ, ତେବେ, ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କର ଶୟନଯାତ୍ରା କରାଇବ। ଅର୍ଥାତ୍ ସେହିବର୍ଷର ଶୟନଯାତ୍ରା ଆଷାଢ଼ ଶୁକ୍ଳ ଏକାଦଶୀ ପରିବର୍ତ୍ତେ, ଶ୍ରାବଣ ଶୁକ୍ଳ ଏକାଦଶୀରେ ସଂପନ୍ନ ହେବ।
ତାହାର ପରବର୍ତ୍ତୀ, ଉପରୋକ୍ତ ଶ୍ଳୋକରେ କୁହାଯାଇଛି- ଯଦି ପ୍ରମାଦବଶତଃ, ଶ୍ରୀହରି ବା ଶ୍ରୀଜଗନ୍ନାଥଙ୍କର ପାଞ୍ଚମାସ ଶୟନ କରାଯାଏ, ତେବେ ଲୋକମାନଙ୍କ ମଧ୍ୟରେ ମହାଭୟ ଜାତ ହେବ। ଅତି ଉଗ୍ର ଭାବରେ ଦେଶ ଉଚ୍ଛନ୍ନ ହେବ। ଏପରିକି ରାଜା (ଅର୍ଥାତ୍ ଶାସକ)ଙ୍କର ଅପମୃତ୍ୟୁ ହେବ।
ଏ ପ୍ରସଙ୍ଗରେ ଆହୁରି ମଧ୍ୟ କୁହାଯାଇଛି- ଏହା ଫଳରେ ବହୁ ଉତ୍ପାତ ଯେ ଦେଖାଯିବ ଏହା ନିଃସଂଶୟ। ଏହା ଫଳରେ ସମସ୍ତେ ନରକରେ ପଡ଼ିବେ। ଏଣୁ ପାଞ୍ଚମାସ ପର୍ଯ୍ୟନ୍ତ ଠାକୁରଙ୍କୁ ଶୁଆଇବ ନାହିଁ। କାରଣ, ଏହା ପ୍ରମାଦକର ଓ ଅମଙ୍ଗଳ କାରକ। ହରିଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶୟନନୀତି, ହରଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। କିନ୍ତୁ ଆମ ପାଇଁ ଏହାରନ ଏକ ବାର୍ତ୍ତା ହେଉଛି- ଆମେ ମଧ୍ୟ ନିର୍ଦ୍ଦିଷ୍ଟ ଅବଧିଠାରୁ ଅଧିକ ସମୟ ଶୋଇବା ଉଚିତ ନୁହେଁ।
Comments are closed.