୩୧ ତାରିଖରୁ ଅଗଷ୍ଟ ୨ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାରେ ପୂର୍ବାନୁମାନ

ଭୁବନେଶ୍ବର – ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ମୌସୁମୀଜନିତ ନିମ୍ନ ଚାପରେଖା ଦକ୍ଷିଣ-ପୂର୍ବ ଦିଗରୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଏଭଳି ସ୍ଥିତି ଯୋଗୁଁ ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଯାଇଛି। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲା ସହ ଉପକୂଳ ଓଡ଼ିଶାରେ ବର୍ଷା ହୋଇଯାଇଛି। ଆସନ୍ତା ୨ ଦିନ ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିବ। ୩୧ରୁ ୨ ତାରିଖ ଯାଏ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଜି ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଫଳରେ ରାଜ୍ୟରେ ଆସନ୍ତା ୨ ତାରିଖ ଯାଏ ବିସ୍ତୃତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୩୧ ତାରିଖରେ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ‌ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏହିସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Comments are closed.