ରାହୁଲଙ୍କ ପାଇଁ ଝିଅ ଖୋଜିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ: ରାହୁଲଙ୍କ ବାହାଘର କରିଦେବାକୁ ସୋନିଆ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ହରିୟାଣାର କିଛି ମହିଳା ଚାଷୀ । ସୋନିଆ ମଧ୍ୟ ସେମାନଙ୍କୁ ରାହୁଲଙ୍କ ପାଇଁ ଝିଅ ଖୋଜିବାକୁ କହିଛନ୍ତି । ବିବାହର ଏହି ଆଲୋଚନା ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ତାଙ୍କ ବାହାଘର ଶୀଘ୍ର ହେବ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ ନିକଟରେ ହରିୟାଣା ଗସ୍ତ ସମୟରେ ମହିଳା ଚାଷୀଙ୍କ ପାଇଁ ଏକ ଭୋଜି ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ରଖି ସୋନିଆ ଗାନ୍ଧୀ ହରିୟାଣାର ସୋନିପତ ଜିଲ୍ଲାର କିଛି ମହିଳାଙ୍କୁ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ।

ଭୋଜନ ପାଇଁ ନିମନ୍ତ୍ରିତ ମହିଳାମାନେ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ସମୟରେ ରାହୁଲଙ୍କ ବିବାହ କଥା ମଧ୍ୟ ପଡ଼ିଥିଲା । ସୋନିଆଙ୍କ ୧୦ ଜନପଥ ବାସଭବନରେ ପହଞ୍ଚିଥିବା ଜଣେ ମହିଳା ‘ଏବେ ପୁଅର ବାହାଘର କରିଦିଅନ୍ତୁ’ ବୋଲି ସୋନିଆଙ୍କୁ କହିଥିଲେ । ଏହାର ଜବାବରେ ରାହୁଲଙ୍କ ପାଇଁ ଗୋଟେ ଝିଅ ଖୋଜିବାକୁ ତାଙ୍କୁ ମଜାଳିଆ ଛଳରେ କହିଥିଲେ ସୋନିଆ ।

ରାହୁଲ ସେଠାରେ ଠିଆ ହୋଇ ଏହି କଥାବାର୍ତ୍ତା ଶୁଣୁଥିଲେ ଏବଂ ସେ କହିଥିଲେ ଏହା (ବିବାହ) ହେବ …।

ଏହି ସମୟରେ ଜଣେ ମହିଳା ନିଜ ହାତରେ ରାହୁଲ ଗାନ୍ଧୀଙ୍କୁ ଖୁଆଇ ଦେଇଥିଲେ ।

ରାହୁଲ ଗାନ୍ଧୀ ହଠାତ୍ ଜୁଲାଇ ୮ରେ ସୋନିପତର ମଦିନା ଗ୍ରାମକୁ ଯାଇଥିଲେ। ସେ ଲୋକଙ୍କ ସହ କଥାବାର୍ତ୍ତା କରି କ୍ଷେତରେ କାମ କରୁଥିବା ଚାଷୀଙ୍କ ସହ ସମୟ ବିତାଇଥିଲେ। ରାହୁଲ ଗାନ୍ଧୀ ସେମାନଙ୍କୁ ‘ଦିଲ୍ଲୀ ଦର୍ଶନ’ ପାଇଁ ଡାକିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଲୋକମାନେ କଂଗ୍ରେସ ନେତାଙ୍କୁ କହିଥିଲେ ଯେ ସେମାନେ ଜାତୀୟ ରାଜଧାନୀର ଏତେ ପାଖରେ ଥାଇ କେବେ ଦିଲ୍ଲୀ ଯାଇ ନାହାଁନ୍ତି।

ଲୋକଙ୍କ ସହ ଏହି ଆଲୋଚନା ବେଳେ ରାହୁଲ ଗାନ୍ଧୀ ମହିଳା ଚାଷୀଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ କଥାବାର୍ତ୍ତା କରାଇଥିଲେ। ପ୍ରିୟଙ୍କା ସେମାନଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ ବୋଲି ସେମାନେ ଇଚ୍ଛା ପ୍ରକାଶ କରିଥିଲେ।

ମହିଳା ଚାଷୀଙ୍କୁ ଭେଟିବା ପରେ ଟ୍ୱିଟରରେ ଏକ ଭିଡିଓ ସେୟାର କରି ରାହୁଲ ଗାନ୍ଧୀ କହିଛନ୍ତି, “ମା, ପ୍ରିୟଙ୍କା ଏବଂ ମୁଁ କିଛି ବିଶେଷ ଅତିଥିଙ୍କ ସହ ସାକ୍ଷାତର ସ୍ମରଣୀୟ ଦିନ। ସୋନିପତର ଚାଷୀ ଭଉଣୀମାନଙ୍କର ଦିଲ୍ଲୀ ଦର୍ଶନ, ଘରେ ସେମାନଙ୍କ ସହିତ ଭୋଜନ ଏବଂ ଅନେକ ବାର୍ତ୍ତାଳାପ | ଦେଶୀ ଘିଅ, ମିଠା ଲସି, ଘର ତିଆରି ଆଚାର ଏବଂ ବହୁତ ଭଲପାଇବା – ଅମୂଲ୍ୟ ଉପହାର ମିଳିଲା |

ଭିଡିଓରେ ଗାନ୍ଧୀ ପରିବାର ମହିଳାଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଥିଲା। ଏଥିରେ ରାହୁଲ ଗାନ୍ଧୀ ମହିଳାମାନଙ୍କୁ ପଚାରିଥିଲେ ଯେ ସେମାନଙ୍କୁ ଭୋଜନ ଭଲ ଲାଗିଲା କି ନାହିଁ ଏବଂ ସମସ୍ତେ ମିଠା ଖାଇଲେ କି ନାହିଁ। ସେ ପିଲାମାନଙ୍କୁ ଚକୋଲେଟ୍ ମଧ୍ୟ ଦେଇଥିଲେ।

Comments are closed.