ମଣିପୁର ହିଂସା ରୋକିବାରେ ସରକାରଙ୍କ ବିଫଳତା ପ୍ରଧାନମନ୍ତ୍ରୀଙ୍କ ‘ଘୋର ଉଦାସୀନତା’କୁ ଦର୍ଶାଉଛି: ବିରୋଧୀ

ଇମ୍ଫାଲ: ଦୁଇ ଦିନିଆ ମଣିପୁର ଗସ୍ତରେ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ରାଜ୍ୟରେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ମଣିପୁର ସଙ୍କଟ ପ୍ରତି ତାଙ୍କ ଘୋର ଉଦାସୀନତାକୁ ଦର୍ଶାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ହିଂସା ରୋକିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ‘ଇଣ୍ଡିଆ’ ସାଂସଦମାନେ ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ରରେ ଅଭିଯୋଗ କରିଛନ୍ତି ।

ବିରୋଧୀଙ୍କ ଏହି ପ୍ରତିନିଧି ଦଳରେ ଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଯଦି ମଣିପୁରର ଜାତିଗତ ବିବାଦର ତୁରନ୍ତ ସମାଧାନ ନହୁଏ ତେବେ ଏହା ଦେଶ ପାଇଁ ସୁରକ୍ଷା ସମସ୍ୟା ସୃଷ୍ଟି କରିପାରେ।

୨୧ ‘ଇଣ୍ଡିଆ’ ସାଂସଦ ଆଜି ରାଜ ଭବନରେ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ଏହି ଉତ୍ତର-ପୂର୍ବ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଏକ ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ ଭବନ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, “ରାଜ୍ୟପାଳ ଆମ କଥାରେ ସହମତ ହୋଇଛନ୍ତି । ହିଂସା ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହ ସମ୍ପ୍ରଦାୟ ମଧ୍ୟରେ ଅବିଶ୍ୱାସ ଦୂର କରିବାକୁ ସବୁ ଦଳର ଏକ ପ୍ରତିନିଧୀ ମଣ୍ଡଳୀ ମଣିପୁର ଆସି ପ୍ରଭାବିତ ଲୋକଙ୍କୁ ଭେଟିବା ଉଚିତ୍। ”

ଚୌଧୁରୀ କହିଛନ୍ତି ଯେ ସାଂସଦମାନେ ମଣିପୁରରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସଂସଦରେ ଏକ ରିପୋର୍ଟ ଉପସ୍ଥାପନ କରିବେ। ମଣିପୁରରେ ବିଗୁଡୁଥିବା ସ୍ଥିତି ମଧ୍ୟରେ ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମେ ଅନୁରୋଧ କରିଆସୁଛୁ।

ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ୨୧ ଜଣ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଦୁଇ ଦିନିଆ ଗସ୍ତରେ ଶନିବାର ମଣିପୁରର ପହଞ୍ଚି ଏହି ଅଶାନ୍ତ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟରେ ପ୍ରାୟ ତିନିମାସ ଧରି ଚାଲିଥିବା ଜାତି ବିବାଦର ଶିକାର ହୋଇଥିବା ଲୋକଙ୍କୁ ଭେଟିଥିଲେ। ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଏହି ପ୍ରତିନିଧୀ ଦଳ ବିଷ୍ଣୁପୁର ଜିଲ୍ଲାର ମୋଇରଙ୍ଗ ଏବଂ ଚୁରାଚାନ୍ଦପୁରରେ ଅନେକ ରିଲିଫ କ୍ୟାମ୍ପ ପରିଦର୍ଶନ କରି ହିଂସା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ।

ଏହି ଦଳରେ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ, ତୃଣମୂଳ କଂଗ୍ରେସ (ଟିଏମସି) ର ସୁସ୍ମିତା ଦେବ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ମହୁଆ ମାଝୀ, ଦ୍ରାବିଡା ମୁନ୍ନେଟ୍ରା କଜଗାମ (ଡିଏମକେ) ର କାନିମୋଇ, ରାଷ୍ଟ୍ରୀୟ ଲୋକ ଦଳର ଜୟନ୍ତ ଚୌଧୁରୀ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ମନୋଜ କୁମାର ଝା, ରିଭ୍ୟୁଲୋସନାରୀ ସୋସିଆଲିଷ୍ଟ ପାର୍ଟିର ଏନ.କେ ପ୍ରେମଚନ୍ଦ୍ରନ, ଏବଂ ଜନତା ଦଳ (ୟୁନାଇଟେଡ୍)ର ରାଜୀବ ରଂଜନ ସିଂହ ଓରଫ୍ ଲଲନ ସିଂହ ଓ ଅନୀଲ ପ୍ରସାଦ ହେଗଡେ, ସିପିଆଇର ଏଏ ରହୀମ୍ ଅଛନ୍ତି |

ମୈତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଦାବିକୁ ବିରୋଧ କରି ମେ ୩ରେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ‘ଆଦିବାସୀ ସଲିଡାରିଟି ମାର୍ଚ୍ଚ’ ଆୟୋଜନ ବେଳେ ହିଂସାର ସୂତ୍ରପାତ ହୋଇଥିଲା । ଏହି ଜାତିଗତ ହିଂସାରେ ଏଯାବତ୍ ୧୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି । ମଣିପୁରର ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମୈତେଇ ସମ୍ପ୍ରଦାୟର । ସେମାନେ ମୁଖ୍ୟତ ଇମ୍ଫାଲ ଉପତ୍ୟକାରେ ବାସ କରନ୍ତି | ଏଥି ସହିତ ନାଗା ଏବଂ କୁକି ପରି ଆଦିବାସୀଙ୍କ ଜନସଂଖ୍ୟା ୪୦% ହେବ । ଏହି ସମ୍ପ୍ରଦାୟର ଲୋକେ ପାହାଡ଼ିଆ ଅଞ୍ଚଳରେ ବାସ କରନ୍ତି |

Comments are closed.