ମଣିପୁର ଭାଇରାଲ ଭିଡିଓ ମାମଲାରେ ସୁପ୍ରିମକୋର୍ଟ ଗଲେ ପୀଡ଼ିତା କୁକି ମହିଳା, ଆଜି ଶୁଣାଣି

ନୂଆଦିଲ୍ଲୀ: ମଣିପୁରର ଦୁଇ କୁକି ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ଯୌନ ନିର୍ଯାତନା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଏହି ମାମଲାର ଶୁଣାଣି ହେବ। ପୀଡ଼ିତ କୁକି ମହିଳାଙ୍କ ତରଫରୁ ଏହି ଆବେଦନ କରାଯାଇଛି ।

ପ୍ରଧାନ ବିଚାରପତି ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ।

ଯୌନ ନିର୍ଯାତନାର ଶିକାର ଉଭୟ ମହିଳା କେନ୍ଦ୍ର ଓ ମଣିପୁର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ଆବେଦନରେ ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରିବା ସହ ସେମାନଙ୍କର ପରିଚୟ ସାର୍ବଜନୀନ ନକରିବାକୁ ଅନୁରୋଧ କରିଛନ୍ତି।

ମେ ୪ରେ ମଣିପୁରରେ ଦୁଇ ଜଣ କୁକି ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ସହ ଯୌନ ନିର୍ଯାତନା ଦିଆଯାଇଥିଲା । ଜଣେ ମହିଳାଙ୍କୁ ସର୍ବସାଧାରଣରେ ବଳାତ୍କାର କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଘଟଣାର ଭିଡିଓ ଜୁଲାଇ ୧୯ରେ ଭାଇରାଲ ହୋଇଥିଲା |

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ସିବିଆଇ ଏହି ଘଟଣାର ତଦନ୍ତ କରୁଛି।

Comments are closed.