ବିହାରରେ ଜାତିଗତ ଜନଗଣନା ଉପରୁ ହଟିଲା ରୋକ୍, ସମସ୍ତ ଆବେଦନ ଖାରଜ କଲେ ପାଟନା ହାଇକୋର୍ଟ

ପାଟନା: ବିହାରରେ ଜାତି ଭିତ୍ତିକ ଜନଗଣନା ଉପରୁ ରୋକ୍ ହଟିଛି। ଏହି ଜନଗଣନା ବିରୋଧରେ ସବୁ ଆବେଦନକୁ ପାଟନା ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ ସହ ନୀତୀଶ ସରକାର ବର୍ତ୍ତମାନ ରାଜ୍ୟରେ ଜାତିଗତ ଜନଗଣନା ପୁନଃ ଆରମ୍ଭ କରିବାକୁ ସବୁଜ ସଙ୍କେତ ପାଇଛନ୍ତି। ଆବେଦନକାରୀମାନେ ଏବେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।

ଜାତି ଭିତ୍ତିକ ଜନଗଣନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନ ଉପରେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଟିସ ପାର୍ଥ ସାରଥୀଙ୍କ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଜାନୁୟାରୀରେ ବିହାରର ନୀତିଶ କୁମାର ସରକାର ରାଜ୍ୟରେ ଜାତିଗତ ସର୍ଭେ ଆରମ୍ଭ କରିଥିଲେ । ହେଲେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ। ଦୁଇଟି ପର୍ଯ୍ୟାୟରେ ଏହି ସର୍ଭେ କରାଯାଉଥିଲା। ଜାନୁଆରୀରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯାଇଥିଲା | ଲୋକଙ୍କ ଜାତି ଏବଂ ସାମାଜିକ-ଅର୍ଥନୈତିକ ଅବସ୍ଥା ସହ ଜଡିତ ତଥ୍ୟ ସଂଗ୍ରହ ଉପରେ ପାଇଁ ଏପ୍ରିଲ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହୋଇଥିଲା। ଏହି ସର୍ଭେ ଚଳିତ ବର୍ଷ ମେ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । ହେଲେ ମେ ୪ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।

ବିହାର ସରକାର ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ତେବେ ସୁପ୍ରିମକୋର୍ଟ ଜନଗଣନା ଉପରେ ରୋକ୍ ହଟାଇବାକୁ ମନା କରି ଦେଇଥିଲେ । ଏହା ପରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଜି ରାଜ୍ୟ ସରକାରଙ୍କୁ ଜନଗଣନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି।

Comments are closed.