ବନ୍ୟା ପାଣି ଛାଡ଼ିବା ପରେ ଝାଡ଼ାବାନ୍ତିର ଡର, ଜନସ୍ୱାସ୍ଥ୍ୟ ବିଭାଗ ତତ୍ପର

ଭୁବନେଶ୍ବର – ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପାଣି ଛାଡିବା ପରେ ଏବେ ଝାଡାବାନ୍ତି ବ୍ୟାପିବା ଆଶଙ୍କା ଦେଖାଦେଇଛି। କାରଣ ଜଳ ଉତ୍ସ ଗୁଡିକରେ ବନ୍ୟା ପାଣି ମିଶି ଦୂଷିତ କରିଦେଇଥାଏ । ଏହାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକାରମୂଳକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ଝାଡାବାନ୍ତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରେ ୪୮ଟି ମେଡିକାଲ ରିଲିଫ ଶିବିର କରାଯାଇଛି । ୨୯ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ପ୍ରାୟ ୧୧ ହଜାର ଓଆରଏସ ଓ ୨୮ ହଜାରରୁ ଅଧିକ ହେଲୋଜେନ ବଣ୍ଟା ଯାଇଛି । ବନ୍ୟାଞ୍ଚଳରେ ୧ ହଜାର ୩୯୦ ଲୋକ ଚିକିତ୍ସା ପାଇଛନ୍ତି । ୩୬ ଡାଇରିଆ ରୋଗୀ ଚିକିତ୍ସିତ ହୋଇଛନ୍ତି । କେହି ବି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି । ଏବେ କୂଅରେ ବ୍ଲିଚିଙ୍ଗ ପାଉଡର ସ୍ପ୍ରେ କରାଯିବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ବନ୍ୟା ପାଣି ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁଠି ଆବଶ୍ୟକ, ସେଠାରେ ମେଡିକାଲ କ୍ୟାମ୍ପ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Comments are closed.