ଖାରବେଳ ଭବନରେ ସ୍କିଲ୍ଡ ଇନ୍‌ ଓଡିଶାର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ 

ଭୁବନେଶ୍ୱର – ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଭୁବନେଶ୍ବର ଆନୁକୂଲ୍ୟରେ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଉପସ୍ଥିତିରେ ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଯୋଗଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଥିଲେ ଯେ, ଆଟିଆଇ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ବୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ସହିତ ଏହି କାର୍ଯକ୍ରମ ସାରା ରାଜ୍ୟରେ ବିସ୍ତାର କରିବାକୁ ଯୋଜନା କରାଯାଇଛି। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ଯରେ ସ୍କିଲ୍‌-ଇନ୍‌-ଓଡିଶା ବ୍ରାଣ୍ଡକୁ ଲୋକପ୍ରିୟ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବା | ପ୍ରଦର୍ଶନୀ ପଛରେ ଥବା ଅନନ୍ୟ ଧାରଣାକୁ ସେ ପ୍ରଶଂସା କରିବା ସହ “ସ୍କିଲ୍ଡ ଇନ୍‌ ଓଡିଶା” ନାମରେ ଏହି ସ୍ବୀକୃତିପ୍ରାପ୍ତ ବ୍ରାଣ୍ଡର ସ୍ଥିତିକୁ ମଜବୁତ କରିବାକୁ ଆଉଟଲେଟ୍‌ ଗୁଡିକର ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ।

ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍କିଲ୍ଡ ଇନ୍‌-ଓଡିଶା ହେଉଛି ଏକ ପରିବର୍ତ୍ତନଶୀଳା ଯାତ୍ରା, ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବ୍ୟବହାର କରୁଛି । କୁଶଳୀ ଓଡିଶା ଯୁବକମାନେ ଆଜି ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି। ସିଙ୍ଗାପୁର ଏବଂ ଦୁବାଇରେ ଆନ୍ତର୍ଜାତୀୟ ପ୍ରତିଭା ସହିତ କାର୍ଯ୍ୟ କରୁଛନ୍ତି ।

 

୭ ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଓଡିଶାର ଆଇଟିଆଇ ଛାତ୍ରମାନେ ସେମାନଙ୍କର ବିଭିନ୍ନ ପ୍ରତିଭା ଏବଂ କାରିଗରୀ ପ୍ରଦର୍ଶନ କରିବେ | ଏହି ପ୍ରଦର୍ଶନୀର ଥିମ ହେଲା ” ବର୍ଜ୍ୟବସ୍ତୁରୁ ସମ୍ପଦ” । ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ସେଥିରୁ ସୁନ୍ଦର ଓ ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତ କରି କିପରି ଅର୍ଥ ଉପାର୍ଜନ କରାଯାଇ ପାରିବ, ତାହା ହିଁ ପ୍ରଦର୍ଶନୀର ମୂଳ ଲକ୍ଷ । ‘କୁଶଳୀ ଓଡ଼ିଶା’ କେବଳ ଯୁବକମାନଙ୍କୁ ଦକ୍ଷ କରୁଛି, ତାହା ନୁହେଁ ବରଂ ଓଡିଶାରେ ପରିବର୍ତ୍ତନର ମାର୍ଗ ବିସ୍ତାର କରୁଛି ବୋଲି ସଚିବ ଉଷା ପାଢି କହିବା ସହ ଏଭଳି ପ୍ରଦର୍ଶନୀ ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ଆୟୋଜନ କରାଯିବ ବୋଲି କହିଥିଲେ |

ଆଜିର ଏହି ପ୍ରଦର୍ଶନୀରେ ବର୍ଜ୍ୟବସ୍ତୁ ଯଥା ଗାଡି ମୋଟର, ସାଇକେଲ ଆଦିର ଯନ୍ତ୍ରାଂଶ ବଲ ବିୟରିଙ୍ଗ, ଚେନ କ୍ରାଙ୍କ, ନଟବୋଲ୍ଡ କମ୍ପ୍ୟୁଟର କି ବୋର୍ଡ ଆଦି ବ୍ୟବହାର କରାଯାଇ ମହାତ୍ମା ଗାନ୍ଧି, ସୁବାସ ବୋଷଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ଘୋଡା, ପେଙ୍ଗୁଇନ ଓ ମାଛ ଆଦି ପ୍ରଦର୍ଶିତ କରାଯାଇଛି । ସୁନ୍ଦର, ନିଖୁଣ ଓ ଆକର୍ଷଣୀୟ କାଠ ଓ ହସ୍ତତନ୍ତ ଉତ୍ପାଦ ଘର ସାଜସଜ୍ଜା, ଅଫିସ ଷ୍ଟେସନାରୀ, ଚିତ୍ରକଳା ଏବଂ ବେକେରି ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି | ଏହି ପ୍ରଦର୍ଶନୀ ୫ ଦିନ ଧରି ଚାଲିବ | ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ଯରେ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ରେଘୁ ଜିଙ୍କ ସମେତ ବିଭିନ୍ନ ଆଇଟିଆଇ କଲେଜର ଅଧ୍ଯକ୍ଷ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥଲେ |

Comments are closed.