ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ଯଥେଷ୍ଟ କମ୍ : କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରରେ ସଂଖ୍ୟା ବୃଦ୍ଧି ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର – ଯୁବ ଭୋଟରଙ୍କ ସଂଖ୍ୟା ବଢ଼଼ାଇବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ରାଜ୍ୟର ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି। ନିର୍ବାଚନ ଅଧିକାରୀଙ୍କ ଚିଠି ପରେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛି। ସ୍ୱତନ୍ତ୍ର ଅଭିଯାନ ଜରିଆରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଉଥିବା ଯୁବ ଭୋଟରଙ୍କ ତାଲିକା ପ୍ରସ୍ତୁତ କରାଯିବ।

ରାଜ୍ୟରେ ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ ଭୋଟରଙ୍କ ସଂଖ୍ୟା ଯଥେଷ୍ଟ କମ୍‌‌ ରହିଛି। ତେଣୁ ଯୁବ ଭୋଟର ସଂଖ୍ୟା ବଢ଼଼ାଇବାକୁ ସଚେତନତା ଜରୁରୀ। ତେବେ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାଭୁକ୍ତ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆବଶ୍ୟକ ହେଉଛି ।ଏହି ଦାୟିତ୍ୱ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ସମ୍ପାଦିତ ହୋଇପାରିବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷମାନେ ଆଡମିଶନ ଫର୍ମ ସହ ଭୋଟର ନାମ ସଂଯୋଗ ଫର୍ମ ‘୬’ ପ୍ରଦାନ କରିବେ।

Comments are closed.