ମୋଦୀ ସରକାରଙ୍କୁ ରାହୁଲଙ୍କ ଆକ୍ରମଣ, କହିଲେ ମଣିପୁରରେ ଭାରତ ମାତାକୁ ହତ୍ୟା କରାଯାଇଛି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବୁଧବାର ଲୋକସଭାରେ ଦ୍ୱିତୀୟ ଦିନ ପାଇଁ ଆଲୋଚନା ଜାରି ରହିଛି । ଦ୍ବିତୀୟ ଦିବସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିତର୍କ ଆରମ୍ଭ କରି ମୋଦୀ ସରକାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ବିଜେପିର ରାଜନୀତି ଯୋଗୁଁ ମଣିପୁରରେ ଭାରତ ମାତାର ହତ୍ୟା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଏହି କଂଗ୍ରେସ ନେତା ।

ରାହୁଲ ଗାନ୍ଧୀ ଭାଷଣ ଆରମ୍ଭ କରିବାବେଳେ ତାଙ୍କୁ ଲୋକସଭାରେ ସାଂସଦ ଭାବରେ ପୁନଃ ଅବସ୍ଥାପିତ କରିବା ପାଇଁ ବାଚସ୍ପତି ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଜଣାଇଥିଲେ ।

‘ଆଦାନୀ’ ବିଷୟରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ ବାଚସ୍ପତି ଓମ୍ ବିର୍ଲାଙ୍କୁ କ୍ଷମା ମାଗିବା ସହ କହିଥିଲେ ଯେ ଗତ ଭାଷଣରେ ସେ ‘ଆଦାନୀ’ ଉପରେ କହିଥିବାରୁ ତାଙ୍କୁ (ବିର୍ଲା) ଏବଂ ବିଜେପିକୁ ବାଧିଥିବ ।

ରାହୁଲ କହିଥିଲେ, ବିଜେପି ନେତାମାନେ ତାଙ୍କ ଭାଷଣରେ ଭୟ ଏବଂ ଆତଙ୍କିତ ହେବା ଦରକାର ନାହିଁ । କାରଣ ସେ ଆଲୋଚନାର ଅନ୍ୟ ଦିଗରେ ଥିବାରୁ ଆଦାନୀ ଉପରେ କହିବେ ନାହିଁ।

ପାରସ୍ୟ କବି ରୁମିଙ୍କ କିଛି ପଂକ୍ତି ପଢ଼ି ସେ କହିଥିଲେ- ‘ହୃଦୟରୁ ଆସୁଥିବା ଶବ୍ଦ ହୃଦୟକୁ ଯାଏ’ ତେଣୁ ଆଜି ସେ ‘ମନରୁ ନୁହେଁ ବରଂ ହୃଦୟରୁ’ କହିବାକୁ ଯାଉଛନ୍ତି।

ରାହୁଲ କହିଥିଲେ, କିଛି ଦିନ ତଳେ ମୁଁ ମଣିପୁର ଯାଇଥିଲି, ଆମର ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଯାଇ ନାହାଁନ୍ତି । କାରଣ ମଣିପୁର ତାଙ୍କ ପାଇଁ ହିନ୍ଦୁସ୍ତାନ ନୁହେଁ। ଆପଣ ମଣିପୁରକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି |

ବିଜେପି ସାଂସଦମାନେ ତାଙ୍କୁ ଅଟକାଇ ରାଜସ୍ଥାନ କାହିଁକି ଯାଉନାହଁ ବୋଲି ପଚାରିଥିଲେ । ଜବାବରେ ରାହୁଲ କହିଥିଲେ ସେ ଆଜି ରାଜସ୍ଥାନ ଯାଉଛନ୍ତି।

ନିଜ ମଣିପୁର ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଥିଲେ, “ଜଣେ ମହିଳା ମୋତେ କହିଥିଲେ ଯେ ତାଙ୍କ ପୁଅ ହିଂସାରେ ନିହତ ହୋଇଛି । ସେ ରାତିସାରା ତାଙ୍କ ମୃତଦେହ ସହିତ ରହିଥିଲେ। ସେ ଘରଦ୍ୱାର ଛାଡ଼ି ଚାଲି ଆସିଥିଲେ । ତାଙ୍କ ପାଖରେ କେବଳ ତାଙ୍କ ନିହତ ପୁଅର ଫଟୋ ଥିଲା। ”

ମୁଁ ଅନ୍ୟ ଜଣେ ମହିଳାଙ୍କୁ ଭେଟିଲି । ମୁଁ ତାଙ୍କୁ ପଚାରିଲି ତୁମର କ’ଣ ହେଲା । ତା’ପରେ ସେ ଥରିବାକୁ ଲାଗିଲେ ଓ ବେହୋସ୍ ହୋଇଯାଇଥିଲେ । ମୁଁ କେବଳ ଏଇ ଦୁଇଟି ଉଦାହରଣ ଦେଉଛି | ସେମାନେ (ବିଜେପି ସରକାର) କେବଳ ମଣିପୁରକୁ ନୁହେଁ ପୂରା ଭାରତକୁ ମଧ୍ୟ ହତ୍ୟା କରିଛନ୍ତି।

“ମଣିପୁରର ଲୋକଙ୍କୁ ହତ୍ୟା କରି ଆପଣ ଭାରତ ମାତାକୁ ହତ୍ୟା କରିଛନ୍ତି । ଏହା କରି ଆପଣ ଦେଶଦ୍ରୋହ କରିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରକୁ ଯାଉ ନାହାଁନ୍ତି । ଜଣେ ମା ଏଠାରେ ମୋ ପାଖରେ ବସିଛନ୍ତି ଏବଂ ଆପଣ ଆଉ ଜଣେ ମାଙ୍କୁ ମଣିପୁରରେ ହତ୍ୟା କରିଛନ୍ତି |

ରାହୁଲ ଗାନ୍ଧୀଙ୍କ ଏହି କଥାରେ ଶାସକ ବିଜେପିର ସାଂସଦମାନେ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ରାହୁଲଙ୍କୁ କହିବା ବେଳେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ତେବେ ରାହୁଲ ଏତିକିରେ ଅଟକି ନଥିଲେ । ସେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ ।

Comments are closed.