‘ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ..’, ଅଧୀର ଚୌଧୁରୀଙ୍କ ବୟାନକୁ ନେଇ ଲୋକସଭାରେ ହଙ୍ଗାମା

ନୂଆଦିଲ୍ଲୀ: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ସରଗରମ ବିତର୍କ ସହ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲୋକସଭାରେ ପହଞ୍ଚିଛନ୍ତି। ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଛାଡ଼ି ନଥିଲେ । ସେ କହିଛନ୍ତି “ଅନାସ୍ଥା ପ୍ରସ୍ତାବ ଆଣିବାର କୌଣସି ଯୋଜନା ନଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ଆଣିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି ।

ଚୌଧୁରୀ କହିଛନ୍ତି, ଆମେ ଚାହୁଁଛୁ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଉପରେ ଗୃହରେ ବିବୃତ୍ତି ରଖନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧୃତରାଷ୍ଟ୍ର ସହ ତୁଳନା କରି ଚୌଧୁରୀ କହିଥିଲେ, ଯେବେ ଧୃତରାଷ୍ଟ୍ର ଅନ୍ଧ ଥିଲେ, ସେତେବେଳେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହୋଇଥିଲା । ଆଜି ମଧ୍ୟ ରାଜା ଅନ୍ଧ ହୋଇ ବସି ରହିଛନ୍ତି… ମଣିପୁର ଓ ହସ୍ତିନାପୁର ମଧ୍ୟରେ କୌଣସି ଫରକ ନାହିଁ।”

ଚୌଧୁରୀ କହିଥିଲେ, ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଆମର କିଛି ଯାଏ ଆସେ ନାହିଁ। ଆମକୁ କେବଳ ଦେଶର ଲୋକଙ୍କ ଚିନ୍ତା । ପ୍ରଧାନମନ୍ତ୍ରୀ ସବୁ ବିଷୟରେ କହୁଛନ୍ତି କିନ୍ତୁ ମଣିପୁର ଉପରେ କାହିଁକି ଚୁପ୍ ରହିଛନ୍ତି?

ମଣିପୁରର ସାଂସଦମାନଙ୍କୁ କାହିଁକି କହିବାକୁ ଅନୁମତି ଦିଆଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଚୌଧୁରୀ । ଏଥିସହ ମଣିପୁରରେ କାହିଁକି ଏକ ବଫର ଜୋନ୍ ସୃଷ୍ଟି ହେଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ। ଏକ ବଫର୍ ଜୋନ୍ ସୃଷ୍ଟି କରି ବିଜେପି ସରକାର ମଣିପୁରକୁ ଭାଗ ଭାଗ କରୁଛି ବୋଲି ସେ ଅଭିଯୋଗ କରିଥିଲେ |

ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନରେ ବିଜେପି ସାଂସଦମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମ୍ମାନ ଦିଆଯାଉ ଏବଂ କଂଗ୍ରେସ ନେତା ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ।

Comments are closed.