୧୭ ବର୍ଷରୁ କମ୍ ବର୍ଗରେହକି ଦଳ ଗଠନ ପାଇଁ ହକି ଇଣ୍ଡିଆର ଘୋଷଣା, ସର୍ଦ୍ଦାର ସିଂହ ବାଳକ ଓ ରାଣୀ ରାମପାଲ ବାଳିକା ଟିମର କୋଚ୍

ଚେନ୍ନାଇ: ତୃଣମୂଳ ସ୍ତରରୁ ହକି ପ୍ରତିଭା ଖୋଜି ବାହାର କରିବା ପାଇଁ ହକି ଇଣ୍ଡିଆ ପଦକ୍ଷେପ ନେଇଛି । ପ୍ରଥମ ଥର ପାଇଁ ହକି ଇଣ୍ଡିଆ ସବ୍ ଜୁନିଅର ( ୧୭ ବର୍ଷରୁ କମ୍ ) ହକି ଟିମ୍ ଗଠନ କରିବ । ସବ୍ ଜୁନିଅର ବାଳକ ଓ ବାଳିକା ବିଭାଗରେ ଭାରତୀୟ ହକି ଦଳ ରହିବ ।

ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଆଜି ଏହି ଘୋଷଣା କରିଛନ୍ତି। ପୂର୍ବତନ ଆନ୍ତର୍ଜାତିକ ହକି ଖେଳାଳି ସର୍ଦ୍ଦାର ସିଂହଙ୍କୁ ସବ୍ ଜୁନିଅର ବାଳକ ଟିମ୍ ଓ ରାଣୀ ରାମପାଲଙ୍କୁ ବାଳିକା ଟିମର କୋଚ୍ ନିଯୁକ୍ତ କରାଯାଇଥିବା ନେଇ ଦିଲୀପ ତିର୍କି ଘୋଷଣା କରିଛନ୍ତି।

ହକି ଇଣ୍ଡିଆର ୧୦୦ତମ କାର୍ଯ୍ୟକାରୀ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅଳ୍ପ ବୟସରୁ ହକି ପ୍ରତିଭାଙ୍କୁ ଖୋଜି ତାଲିମ ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ସବ୍ ଜୁନିଅର ଟିମ୍ ଗଠନ କରାଯିବ ବୋଲି ହକି ଇଣ୍ଡିଆ ସଭାପତି ସୂଚନା ଦେଇଛନ୍ତି। ପ୍ରଥମ ସବ୍ ଜୁନିଅର ହକି କ୍ୟାମ୍ପ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ । ସବ୍ ଜୁନିଅର ହକି ପ୍ରୋଗ୍ରାମ ତିନି ବର୍ଷ ଯାଏଁ ଚାଲିବ ।

Comments are closed.