‘ରାହୁଲଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ, ୫୦ ବର୍ଷର ବୁଢ଼ୀକୁ କାହିଁକି ଫ୍ଲାଇଙ୍ଗ କିସ୍ ଦେବେ’, କଂଗ୍ରେସ ମହିଳା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ମତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଫ୍ଲାଇଙ୍ଗ୍ କିସ୍ (ଉଡ଼ନ୍ତା ଚୁମ୍ବନ) ଦେଇଥିବା ଅଭିଯୋଗ ହୋଇଥିଲା । ଏହି ବିବାଦରେ ଏବେ ଘିଅ ଢ଼ାଳିଛନ୍ତି ବିହାରର ଜଣେ କଂଗ୍ରେସ ବିଧାୟିକା ‌। ଏହି ବିବାଦ ଉପରେ କଂଗ୍ରେସ ବିଧାୟିକା ନୀତୁ ସିଂ ଆପତ୍ତିଜନକ ବୟାନ ଦେଇଛନ୍ତି । ନୀତୁ ସିଂ କହିଛନ୍ତି, ଫ୍ଲାଇଙ୍ଗ କିସ୍ ଦେବାକୁ ରାହୁଲ ଗାନ୍ଧୀଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ। ସେ କାହିଁକି ସ୍ମୃତି ଇରାନୀଙ୍କ ପରି ୫୦ ବର୍ଷର ବୁଢ଼ୀକୁ ଫ୍ଲାଇଙ୍ଗ୍ କିସ୍ ଦେବେ?

ନୀତୁ ସିଂ‌ ହେଉଛନ୍ତି ବିହାରର ନୱାଦା ଜିଲ୍ଲାର ହିସୁଆ ଆସନରୁ କଂଗ୍ରେସ ବିଧାୟକ । ରାହୁଲଙ୍କ ବିରୋଧରେ ଫ୍ଲାଇଙ୍ଗ୍ କିସ୍ ଅଭିଯୋଗ ଭିତ୍ତିହୀନ ବୋଲି କହି ସେ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

କଂଗ୍ରେସର ମହିଳା ବିଧାୟକଙ୍କ ଏପରି ମନ୍ତବ୍ୟ ଉପରେ ବିଜେପି ଏବେ କଂଗ୍ରେସ ଉପରେ ଆକ୍ରମଣ କରିଛି। ବିଜେପି ନେତାମାନେ ନୀତୁ ସିଂଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ବିଜେପି ମୁଖପାତ୍ର ଗୌରବ ଭାଟିଆ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।

ଅନ୍ୟ ଜଣେ ବିଜେପି ମୁଖପାତ୍ର ଶହଜାଦା ପୁନାୱାଲା ମଧ୍ୟ ନୀତୁ ସିଂଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଦୋଷ ଲୁଚାଇବା ପାଇଁ ମହିଳା ବିରୋଧୀ କଂଗ୍ରେସ ଯେକୌଣସି ସ୍ତରକୁ ଯାଇପାରେ ।

ବୁଧବାର ଲୋକସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ଫ୍ଲାଇଙ୍ଗ କିସ୍’ ଅଭିଯୋଗ ଆଣିଥିଲେ। ଗୃହରୁ ଯିବାବେଳେ ରାହୁଲ ଶାସକ ଦଳର ମହିଳା ସଦସ୍ୟଙ୍କ ପ୍ରତି ‘ଫ୍ଲାଇଙ୍ଗ କିସ୍’ ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ରାହୁଲଙ୍କୁ ଭର୍ତ୍ସନା କରି ଇରାନୀ କହିଥିଲେ ଯେ ଜଣେ ମହିଳା ବିରୋଧୀ ବ୍ୟକ୍ତି ହିଁ ଏପରି ଅଶାଳୀନ ଆଚରଣ କରିପାରିବ। ଦେଶର ସଂସଦରେ ଏଭଳି ଗରିମାହୀନ ଆଚରଣ କେବେ ଦେଖିବାକୁ ମିଳିନଥିଲା ବୋଲି ଇରାନୀ ଅଭିଯୋଗ କରିଥିଲେ ।

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ୨୨ ମହିଳା ସାଂସଦ ମଧ୍ୟ ଏନେଇ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ବିଜେପିର ‘ଫ୍ଲାଇଙ୍ଗ କିସ୍’ ଅଭିଯୋଗକୁ କଂଗ୍ରେସ ଖଣ୍ଡନ କରିଥିଲା।

Comments are closed.