ନେହେରୁ ମେମୋରିଆଲର ନାମ ପରିବର୍ତ୍ତନ ନେଇ ରାହୁଲ ଗାନ୍ଧୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ନେହେରୁ ମେମୋରିଆଲର ନାମ ପରିବର୍ତ୍ତନ ନେଇ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି – ନେହେରୁ ଜୀଙ୍କର କାମ ହିଁ ତାଙ୍କ ପରିଚୟ … ତାଙ୍କ ନାମ ନୁହେଁ।”

କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି – “ଆଜିଠାରୁ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ନୂଆ ନାମ ପାଇଛି। ବିଶ୍ୱ ପ୍ରସିଦ୍ଧ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ (ଏନ୍ଏମ୍ଏମ୍ଏଲ୍) ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ (ପିଏମ୍ଏମ୍ଏଲ୍) ରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଭୟ, ହୀନମନ୍ୟତା ଓ ଅସୁରକ୍ଷିତ ଅନୁଭବ କରୁଥିବା ମନେ ହେଉଛନ୍ତି, ବିଶେଷକରି ଯେତେବେଳେ ଆମର ପ୍ରଥମ ତଥା ସବୁଠୁ ଅଧିକ ଦିନ ପଦରେ ରହିଥିବା ପ୍ରଧାନମନ୍ତ୍ରୀଙ୍କ କଥା ଆସେ |

ଜୟରାମ ରମେଶ କହିଛନ୍ତି, ମୋଦୀଙ୍କ ଏକମାତ୍ର ଏଜେଣ୍ଡା ହେଉଛି ନେହେରୁ ଏବଂ ନେହେରୁବାଦୀ ଲିଗାସିକୁ ମିଥ୍ୟା ସାବ୍ୟସ୍ତ କରିବା, ବଦନାମ ତଥା ବିକୃତ କରିବା ଏବଂ ନଷ୍ଟ କରିବା । ସେମାନେ ‘ଏନ୍’ କୁ ହଟାଇ ‘ପି’ ଲଗାଇ ଦେଇଛନ୍ତି । ଏହି ‘ପି’ ପ୍ରକୃତରେ (Pettiness) ସଂକୀର୍ଣ୍ଣତା ଏବଂ (Peeve) କ୍ରୋଧକୁ ଦର୍ଶାଉଛି । କିନ୍ତୁ ସେମାନେ ଭାରତୀୟ ରାଷ୍ଟ୍ରର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ଏବଂ ଉଦାରବାଦୀ ମୂଳଦୁଆ ପକାଇବାରେ ନେହେରୁଙ୍କ ମହାନ ଉପଲବ୍ଧିକୁ ନଗଣ୍ୟ କରିପାରିବେ ନାହିଁ । ”

“ପିଏମ ମୋଦୀ ଏବଂ ତାଙ୍କ ପାଇଁ ଢୋଲ ପିଟୁଥିବା ଲୋକମାନେ ନେହେରୁଙ୍କୁ ଯେତେ ଆକ୍ରମଣ କରନ୍ତୁ ନା କାହିଁକି, ନେହେରୁଙ୍କୁ ଆଦର୍ଶ ବିଶ୍ୱରେ ପ୍ରାସଙ୍ଗିକ ରହିବ ଏବଂ ଭବିଷ୍ୟତ ପୀଢ଼ିକୁ ପ୍ରେରଣା ଯୋଗାଇବ।”

Comments are closed.