ବିଦେଶୀ ସଂସ୍ଥା ଉପରେ ଆଉ ନିର୍ଭର କରିବନି ଭାରତ, ସ୍ବଦେଶୀ କାର୍ ସେଫ୍ଟି ରେଟିଂ ‘ବିଏନସିଏପି’ର ଶୁଭାରମ୍ଭ କଲେ ଗଡକରୀ

ନୂଆଦିଲ୍ଲୀ: ବିଦେଶୀ ସଂସ୍ଥା ଗୁଡ଼ିକ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ସରକାର ନିଜସ୍ବ କାର୍ ସେଫ୍ଟି ରେଟିଂ ଆରମ୍ଭ କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ଏହି ନୂଆ ସ୍ଵଦେଶୀ କାର୍ ରେଟିଂ ସିଷ୍ଟମ ‘ଭାରତ ନ୍ୟୁ କାର୍ ଆସେସମେଣ୍ଟ ପ୍ରୋଗ୍ରାମ (ବିଏନସିଏପି)ର ଶୁଭାରମ୍ଭ କରିଛନ୍ତି। ଏହି ସେଫ୍ଟି ରେଟିଂ ପ୍ରୋଗ୍ରାମ୍ ସହ କମ୍ପାନୀଗୁଡିକ ନିଜ ଯାନର ସୁରକ୍ଷା ମାନ ଏବଂ ଗୁଣବତ୍ତାରେ ଉନ୍ନତି ଆଣିବେ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ନିର୍ମିତ କାର ଗୁଡ଼ିକର କ୍ରାସ୍ ଟେଷ୍ଟିଂ ବିଦେଶୀ ସଂସ୍ଥାଙ୍କ ମାଧ୍ୟମରେ କରାଯାଉଛି। ତେବେ ଅନେକ କ୍ଷେତ୍ରରେ ବିଦେଶୀ ରେଟିଂ ଭାରତୀୟ ପରିସ୍ଥିତି ସହିତ ମେଳ ଖାଉ ନାହିଁ | ସେଥିପାଇଁ ଏବେ ଭାରତ ଏହାର ନିଜସ୍ୱ ରେଟିଂ ‘ବିଏନସିଏପି’ ଲଞ୍ଚ କରିଛି ।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ “ବିଏନସିଏପି’ ଭାରତରେ ୩.୫ ଟନ୍ ପର୍ଯ୍ୟନ୍ତ ମୋଟର ଯାନ ପାଇଁ ସଡ଼କ ସୁରକ୍ଷା ମାନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ମନ୍ତ୍ରଣାଳୟ କହିଛି, “ବଜାରରେ ଉପଲବ୍ଧ ମୋଟର ଯାନଗୁଡିକର ଦୁର୍ଘଟଣା ନିରାପତ୍ତାର ତୁଳନାତ୍ମକ ସମୀକ୍ଷା କରିବା ପାଇଁ କାର ଗ୍ରାହକଙ୍କୁ ଏକ ମାଧ୍ୟମ ଯୋଗାଇବା ଏହି ନୂଆ ରେଟିଂ ସିଷ୍ଟମର ଉଦ୍ଦେଶ୍ୟ। ଏହି ପ୍ରୋଗ୍ରାମ ଅଧୀନରେ ଅଟୋ ନିର୍ମାତାମାନେ ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍) ୧୯୬ ଅନୁଯାୟୀ ନିଜ କାର ଗୁଡ଼ିକୁ ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତ ଭାବେ ଦେଇପାରିବେ | ଏପରି ଟେଷ୍ଟିଂ ପ୍ରଦର୍ଶନ କ୍ଷମତା ଆଧାରରେ ଷ୍ଟାର୍ ରେଟିଂ ପ୍ରଦାନ କରାଯିବ | ଏଥିରେ ଯାନ ଗୁଡ଼ିକୁ ୧ ରୁ ୫ ଷ୍ଟାର ରେଟିଂ ଦିଆଯିବ‌। ୧ ଷ୍ଟାର ରେଟିଂ ଅର୍ଥ ସୁରକ୍ଷା ଦୃଷ୍ଟିରୁ ସବୁଠୁ ଖରାପ ଏବଂ ୫ ଷ୍ଟାର ରେଟିଂ ଥିବା ଗାଡ଼ି ସବୁଠୁ ସୁରକ୍ଷିତ |

Comments are closed.