ଚନ୍ଦ୍ରଯାନ-୩: ରମ୍ଭା, ଚାଷ୍ଟେ ଓ ଇଲସା ଉନ୍ମୋଚନ କରିବେ ଚନ୍ଦ୍ରର ରହସ୍ୟ

ବେଙ୍ଗାଲୁରୁ: ଦୀର୍ଘ ୪୦ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏବେ ଧାର୍ଯ୍ୟ ଲକ୍ଷ୍ୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଚକର କାଟୁଛି । ଆଜି ସନ୍ଧ୍ୟା ୬:୦୪ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ | ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ୪ଟି ପେଲୋଡ୍ ଲାଗିଛି | ସେମାନଙ୍କର କାମ ହେଉଛି ଚନ୍ଦ୍ର ପୃଷ୍ଠରେ ରହସ୍ୟର ପରୀକ୍ଷଣ ଓ ଅନୁଧ୍ୟାନ କରିବା | ଏହି ପେଲୋଡ୍ ଗୁଡ଼ିକ କେବଳ ଚନ୍ଦ୍ରରେ ଜଳର ସନ୍ଧାନ କରିବ ନାହିଁ, ବରଂ ମଣିଷ ପାଇଁ ଆବଶ୍ୟକ ଖଣିଜ ପଦାର୍ଥ ଏବଂ ଗ୍ୟାସର ଉପସ୍ଥିତି ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରିବ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଆବଶ୍ୟକୀୟ କମାଣ୍ଡ ଦେଇଛି |

ଚନ୍ଦ୍ରଯାନ-୩ ର ସଫଳ ଅବତରଣର ପ୍ରାୟ ୪ ଘଣ୍ଟା ପରେ ବିକ୍ରମ ଲ୍ୟାଣ୍ଡର ଭିତରୁ ରୋଭର ‘ପ୍ରଜ୍ଞାନ’ ବାହାରକୁ ଆସିବ | ରୋଭର ‘ପ୍ରଜ୍ଞାନ’ର ମୁଖ୍ୟ କାମ ହେଉଛି ଚନ୍ଦ୍ର ପୃଷ୍ଠରୁ ତଥ୍ୟ ସଂଗ୍ରହ କରିବା ଏବଂ ଏହାକୁ ଇସ୍ରୋକୁ ପଠାଇବା | ‘ପ୍ରଜ୍ଞାନ’ ରୋଭର ମଧ୍ୟ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ କରିବ | ଏହାଛଡ଼ା ଏଥିରେ ନିୟୋଜିତ ଅନେକ ପେଲୋଡ୍ ଚନ୍ଦ୍ରର ମ୍ୟାପିଂ ବ୍ୟତୀତ ଅନ୍ୟ ପରୀକ୍ଷଣ ମଧ୍ୟ କରିବେ | ‘ପ୍ରଜ୍ଞାନ’ ରୋଭରର ଓଜନ ପ୍ରାୟ ୨୬ କିଲୋଗ୍ରାମ | ଏଥିରେ ୬ଟି ଚକ ଲାଗିଛି | ଏହାର ପଛ ଦୁଇ ଚକ ଉପରେ ଇସ୍ରୋ ଏବଂ ଇଣ୍ଡିଆ ଲୋଗୋ ଅଛି ।

ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପରେ ଲ୍ୟାଣ୍ଡରରେ ଲାଗିଥିବା ଆଧୁନିକ କମ୍ୟୁନିକେଟର ‘ପ୍ରଜ୍ଞାନ’ ରୋଭର ସହିତ ଯୋଗାଯୋଗ କରିବ | ବିକ୍ରମ ଲ୍ୟାଣ୍ଡର ଭିତରୁ ଏକ ରାମ୍ପ ବାହାରିବ, ଯାହା ସହାୟତାରେ ‘ପ୍ରଜ୍ଞାନ’ ରୋଭର ଚନ୍ଦ୍ର ପୃଷ୍ଠକୁ ଓହ୍ଲାଇବ । ବିକ୍ରମ ଲାଣ୍ଡର ‘ପ୍ରଜ୍ଞାନ’ର ଫଟୋ ଉଠାଇବ ଏବଂ ‘ପ୍ରଜ୍ଞାନ’ ମଧ୍ୟ ବିକ୍ରମ ଲ୍ୟାଣ୍ଡରର ଫଟୋ ଉଠାଇ ପୃଥିବୀକୁ ପଠାଇବ।

ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ବିକ୍ରମ ଲ୍ୟାଣ୍ଡରରେ ନିୟୋଜିତ ଚାରିଟି ପେଲୋଡ୍ ଚନ୍ଦ୍ର ପୃଷ୍ଠର ଯାଞ୍ଚ କରିବ | ଏଥିମଧ୍ୟରୁ ରେଡ଼ିଓ ଆନାଟୋମି ଅଫ୍ ମୁନ୍ ବାଉଣ୍ଡ ହାଇପରସେନ୍ସିଟିଭ୍ ଆଣ୍ଡ ଆଟମୋସ୍ଫିୟର ଅର୍ଥାତ (RAMBHA) ଚନ୍ଦ୍ର ସୀମାରେ ସୂର୍ଯ୍ୟଠାରୁ ଆସୁଥିବା ପ୍ଲାଜମା କଣିକାର ଘନତା, ପରିମାଣ ଏବଂ ପରିବର୍ତ୍ତନ ସମ୍ପର୍କରେ ଅନୁଧ୍ୟାନ କରିବ । ଏହାଛଡ଼ା ଚାଷ୍ଟେ (ChaSTE) ଚନ୍ଦ୍ର ପୃଷ୍ଠର ଉତ୍ତାପ ଯାଞ୍ଚ କରିବ | ଏଥି ସହିତ ଇଲସା (ILSA) ଅବତରଣ ସ୍ଥାନ ଚାରିପାଖରେ ଚନ୍ଦ୍ରରେ ଘଟିଥିବା ଭୂକମ୍ପ ଆକଳନ କରିବ | ଏହା ବ୍ୟତୀତ, ‘ଲେଜର ରିଟ୍ରୋରିଫ୍ଲେକ୍ଟର ଏରେ’ ଚନ୍ଦ୍ରର ଡାଇନାମିକ୍ସ ସମ୍ବନ୍ଧରେ ଅଧ୍ୟୟନ କରିବ ।

Comments are closed.