ଶିକ୍ଷା ମନ୍ତ୍ରଣାଳୟର ନୂଆ ପାଠ୍ୟ ଖସଡ଼ା: ଏଣିକି ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଦୁଇଟି ଭାଷା ପଢ଼ିବେ

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷା ମନ୍ତ୍ରଣାଳୟ ୨୦୨୪ରୁ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଶିକ୍ଷା ମନ୍ତ୍ରଣାଳୟ ସୂଚନା ମୁତାବକ ନୂଆ ଶିକ୍ଷା ନୀତି (ଏନ୍ଇପି) ଅନୁଯାୟୀ ନୂଆ ପାଠ୍ୟ ଖସଡ଼ାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ୨୦୨୪ ଶିକ୍ଷା ବର୍ଷ ପାଇଁ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । ନୂଆ ପାଠ୍ୟ ଖସଡ଼ା ଅନୁଯାୟୀ ୧୧ ଏବଂ ୧୨ ଶ୍ରେଣୀର ପିଲାଙ୍କୁ ଦୁଇଟି ଭାଷା ଅଧ୍ୟୟନ କରିବାକୁ ପଡିବ, ସେଥିମଧ୍ୟରୁ ଗୋଟିଏ ଭାରତୀୟ ଭାଷା ହେବା ଆବଶ୍ୟକ।

ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ନୂଆ ପାଠ୍ୟ ଖସଡ଼ା ଅଧୀନରେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଛାତ୍ରମାନଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ତଥା ସର୍ବାଧିକ ମାର୍କ ରଖିବାକୁ ଅନୁମତି ଦିଆଯିବ | ସେହିପରି ବୋର୍ଡ ପରୀକ୍ଷା ମାସାଧିକ କାଳ କୋଚିଂ ଏବଂ ରୋଟ୍ ଲର୍ଣ୍ଣିଂ ପରିବର୍ତ୍ତେ ପିଲାଙ୍କ ଆହରଣ ଏବଂ ଦକ୍ଷତାର ସ୍ତର ଆକଳନ କରିବ |

ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ନୂଆ ପାଠ୍ୟ ଖସଡ଼ା ଅନୁଯାୟୀ, ୧୧ ଏବଂ ୧୨ ଶ୍ରେଣୀରେ ବିଷୟ ଚୟନ କେବଳ ‘ଷ୍ଟ୍ରିମ୍’ରେ ସୀମିତ ରହିବ ନାହିଁ, ଛାତ୍ରମାନଙ୍କୁ ନିଜ ପସନ୍ଦର ବିଷୟ ବାଛିବା ପାଇଁ ଅନୁମତି ଦିଆଯିବ । ଶ୍ରେଣୀଗୃହରେ ପାଠ୍ୟ ପୁସ୍ତକ ‘କଭର’ କରିବା ପରମ୍ପରା ଏଡାଯିବ । ପାଠ୍ୟପୁସ୍ତକ ଗୁଡ଼ିକର ମୂଲ୍ୟ ହ୍ରାସ କରାଯିବ | ବିଦ୍ୟାଳୟ ବୋର୍ଡଗୁଡିକ ଠିକ୍ ସମୟରେ ‘ଚାହିଦା’ ମୁତାବକ ପରୀକ୍ଷା କରିବାର କ୍ଷମତା ବିକଶିତ କରିବେ |

Comments are closed.