ଆମ ପରମ୍ପରାରେ ବାଲି ତୃତୀୟା ବ୍ରତ

ଭାଦ୍ରବମାସ ଶୁକ୍ଳପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଇଥାଏ ବାଲି ତୃତୀୟା ବ୍ରତ। ଏହିପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାର ଗୁଡ଼ିକରେ ପାଳନ କରାଯାଏ। ବିବାହିତା ନାରୀମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ଏହିବ୍ରତ ପାଳନ କରିଥାଆନ୍ତି । କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣସମ୍ପନ୍ନ ପତି କାମନା କରି ଏହିବ୍ରତକୁ ପାଳନ କରିଥାନ୍ତି । ଏହି ବ୍ରତରେ ନୂତନବସ୍ତ୍ର ପରିଧାନ କରି ଅତିନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟ ଠାରୁ ଚତୁର୍ଥୀଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଉପବାସ ରହିବାକୁ ହୁଏ । ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ ।

ବାଲି ତୃତୀୟା ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ମହାଦେବବ। ମହାଦେବ ହେଉଛନ୍ତି ଯେପରି ଆଶୁତୋଷ ସେପରି ବି ରୁଦ୍ର ।ତେଣୁ ଏହି ବ୍ରତକୁ ନିଷ୍ଠାରସହ ପାଳନ କଲେ ଅନେକ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମା’ ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ କଠୋର ତପ କରିଥିଲେ । ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ।ତେଣୁ ବିବାହିତା ନାରୀମାନେ ବାଲିତୃତୀୟା ଦିନ ସକାଳେ ନଦୀ ବା ପୁଷ୍କରିଣୀରେ ସ୍ନାନ କରନ୍ତି । ପୁଣି ଥରେ ଅପରାହ୍ନରେ ସୂର୍ଯ୍ୟାସ୍ତ ସମୟରେ ଆମ୍ବ ଡାଳରେ ଦାନ୍ତଘଷି, ସ୍ନାନକରି ପାଣିରେ ବୁଡି ସାତ ମୁଠା ବାଲି ଆଣନ୍ତି । ସେଥିରେ ଜଳାଶୟ କୂଳରେ ଏକ ଶିବଲିଙ୍ଗ ଏବଂ ଘରେ ମଧ୍ୟ ଏକ ବାଲୁଙ୍କା ଶିବଲିଙ୍ଗ ତିଆରି କରି ପୂଜା କରିଥାନ୍ତି । ଫୁଲ, ବେଲପତ୍ର ଚଢ଼ାନ୍ତି। ପାଖରେ ଏକ କଦଳୀ ଗଛ ପୁଆ ପୋତିଥାନ୍ତି। ପରଦିନ ଭୋରରୁ ସ୍ନାନ ସମୟରେ ବାଲୁଙ୍କା ବିସର୍ଜନ କରାଯାଏ। ନୂତନ ବସ୍ତ୍ର ପରିଧାନ ପୂର୍ବକ ଚତୁର୍ଥୀ ଦିନ ବ୍ରତ ଉଦ୍ଯାପନ କରାଯାଇଥାଏ।

Comments are closed.