୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ, ବିଜୁ ଆଦର୍ଶ କଲୋନୀର କରିବେ ଲୋକାର୍ପଣ

ଭୁବନେଶ୍ୱର – ଜାଗା ମିଶନ ଜରିଆରେ ଓଡ଼ିଶାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳର ୮୭୫ ବସ୍ତିର ୬୫ ହଜାର ପରିବାରଙ୍କୁ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରେ ୫୧ ହଜାର ପରିବାରକୁ ପଟ୍ଟା ବଣ୍ଟନ କରାଯିବ । ପୂର୍ବରୁ କେବଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନିସିପାଲିଟିର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଉଥିବା ବେଳେ ମହାନଗର ନିଗମ ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ମଧ୍ୟ ପଟ୍ଟା ବଣ୍ଟନ କରିବାକୁ ରାଜ୍ୟ ସରକାର ଗତବର୍ଷ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଗତବର୍ଷ ନଭେମ୍ବରରେ ଡ୍ରୋନ ଯୋଗେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା।

ଆଜି ୫ଟି ମହାନଗର ନିଗମ ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସହ ମହାନଗର ନିଗମ ସମେତ ରାଜ୍ୟର ୧୧୫ଟି ସହରାଞ୍ଚଳର ୧୦୧୦ଟି ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

Comments are closed.