କୋଟାରେ ଥମୁନି ଆତ୍ମହତ୍ୟା, ପୁଣି ଜୀବନ ହାରିଲେ ଦୁଇ ଛାତ୍ର

କୋଟା: ରାଜସ୍ଥାନର କୋଟାରେ ଥମୁନି ଛାତ୍ରଙ୍କ ଆତ୍ମହତ୍ୟା । ରବିବାର ପୁଣି ଦୁଇଟି ପୃଥକ୍ ଘଟଣାରେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦୁଇଜଣ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସର ସୂଚନାନୁସାରେ, ଅବିଶ୍ୱର ସମ୍ୱାଜୀ କାସଲେ (୧୭) ନାମକ ଜଣେ ଛାତ୍ର ଅପରାହ୍ନ ପ୍ରାୟ ୩.୧୫ ସମୟରେ ଜବାହାର ନଗରରେ ଥିବା ତାଙ୍କ କୋଚିଂ ଇନଷ୍ଟିଚ୍ୟୁଟ ବିଲ୍ଡିଂର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । କାସଲେ ସେହି କୋଚିଂ ସେଣ୍ଟରର ତୃତୀୟ ମହଲାରେ କିଛି ମିନିଟ୍ ପୂର୍ବରୁ ଏକ ପରୀକ୍ଷା ଦେଇଥିଲେ।

କାସଲେଙ୍କ ମୃତ୍ୟୁର ଚାରି ଘଣ୍ଟା ପରେ, ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଆଦର୍ଶ ରାଜ (୧୮) ନାମକ ଆଉ ଜଣେ ଛାତ୍ର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୁନ୍ହାଡି ପୋଲିସ ଥାନା ଅଞ୍ଚଳରେ ଥିବା ଭଡାଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ସର୍କଲ ଅଫିସର (ସିଓ) ଧରମବୀର ସିଂଙ୍କ ଅନୁଯାୟୀ, ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଦ୍ୱାଦଶ ଶ୍ରେଣୀର ଛାତ୍ର କାସଲେ ତିନି ବର୍ଷ ଧରି କୋଟାରେ ରହି ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ । ତାଲୱାଣ୍ଡି ଅଞ୍ଚଳର ଏକ ଭଡ଼ା ଘରେ ସେ ତାଙ୍କ ବାପାମାଙ୍କ ସହ ରହୁଥିଲେ। କାସଲେଙ୍କ ଅଭିଭାବକ ବୃତ୍ତିରେ ଶିକ୍ଷକ । ପୋଲିସର ସୂଚନାନୁସାରେ, ବିହାରର ରୋହତସ ଜିଲ୍ଲାର ବାସିନ୍ଦା ଆଦର୍ଶ ମଧ୍ୟ ଗତ ଏକ ବର୍ଷ ଧରି କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କ ଭଉଣୀ ଏବଂ ସମ୍ପର୍କୀୟଙ୍କ ସହ ସେ ଭଡ଼ା ଘରେ ରହୁଥିଲେ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ କୋଟାରେ କୋଚିଂ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚଳିତ ବର୍ଷ ଏଯାବତ୍ ୨୪ ଜଣ ଆତ୍ମହତ୍ୟା କରିଛନ୍ତି |

Comments are closed.