ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ ରକ୍ଷା ବନ୍ଧନ ପର୍ବ 

ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି। ଏହାକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା କୁହାଯାଏ। ଏହି ଦିନଟି ହେଉଛି ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କ କୁ ଦୃଢ଼ କରିଥାଏ ।ଏହି ଦିନ ଭଉଣୀ,ଭାଇ ହାତ ରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥାଏ। ସେହିପରି ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଓଡ଼ିଶାର ପ୍ରତ୍ୟେକ ଘରେ ଆଜି ଆନନ୍ଦ ଉଲ୍ଲାସର ସହିତ ରକ୍ଷା ବନ୍ଧନ ପାରମ୍ପରିକ ରୀତିରେ ପାଳିତ ହୋଇଥାଏ।

ଏହା ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହୋଇଥାଏ । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମାକୁ ସେମାନେ ନାରିକେଳ ପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପ କୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇ ଥାଏ ।ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି । ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ ।

ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁରରାଜା ବଳି ଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।
• ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
• ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।

ଇତିହାସରେ ରକ୍ଷାବନ୍ଧନର ମହତ୍ତ୍ୱ ଦେଖିବାକୁ ମିଳେ । ଯଦିଓ ଏହାପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ ।
• ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର। ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇ ଥିଲେ । ପ୍ରଥମଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ,ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକରାକ୍ଷୀ ପ୍ରେରଣ କରି ଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ ।
• ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ । ଏମିତି ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ,ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେ ବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଦେଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇଦେଇଥିଲେ ।

ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ଏହି ଦିନ ସବୁ ପାଳିତ ପଶୁ ଗାଈ, ଗୋରୁ ଆଦିଙ୍କୁ ସଜାଯାଏ ଏବଂ ପୂଜା କରାଯାଏ । ବିଭିନ୍ନ ପ୍ରକାର ର ପିଠା ଓ ମିଠା ତିଆରି କରାଯାଏ ଏବଂ ପରିବାର, ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ ବଣ୍ଟାଯାଏ ।

ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳିଖେଳି ଆନନ୍ଦ ନେଇଥାନ୍ତି । ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ। ଆଜିଥାଏ ଏହି ଝୁଲଣ ଉତ୍ସବ ର ଅନ୍ତିମ ପର୍ବ। ଏହି ପବିତ୍ର ଦିନ ଭାରତର ଅନେକ ମହାପୁରୁଷ ଧରାଵତରଣ କରିଥିଲେ। ସର୍ବୋପରି କହିବାକୁ ଗଲେ ଆଜି ଦିନଟି ହେଉଛି ସୁଖ, ସମୃଦ୍ଧି ଓ ପରସ୍ପର ଭିତରେ ଥିବା ଅତୁଟ ବନ୍ଧନର ପର୍ବ।

Comments are closed.