ପାରମ୍ପରିକ ବିଧାନରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉଙ୍କ ପ୍ରଳମ୍ବାସୁରବଧ ବେଶ 

ପ୍ରଳମ୍ବାସୁର ଆଖ୍ୟାୟିକା ସମ୍ପର୍କରେ ଶ୍ରୀମଦଭାଗବତ ର ଦଶମ ସ୍କନ୍ଧରେ ବିସ୍ତୃତ ବର୍ଣ୍ଣନା ରହିଛି । ଉକ୍ତ ବର୍ଣ୍ଣନା ଅନୁଯାୟୀ ଯମୁନା ନଦୀ କୂଳରେ ଥିବା ପବିତ୍ର ବୃନ୍ଦାବନ ଭୂମି ଶ୍ରୀବଳଭଦ୍ର ଓ ଶ୍ରୀକୃଷ୍ଣଙ୍କର ଗୋପାଳ ବାଳକ, ଗୋଇ ଓ ଗୋବତ୍ସାଙ୍କ ସହିତ ଏକତ୍ର କ୍ରୀଡ଼ା ଭୂମି । ସେହି କ୍ରୀଡା କାଳରେ ଏକ ଯୁଦ୍ଧକାଳୀନ ଅଭିନୟ ସେମାନଙ୍କର କ୍ରୀଡାର ବିଷୟବସ୍ତୁ ହୋଇଥିଲା । ଗୋପ ବାଳକଙ୍କ ସମେତ ଶ୍ରୀକୃଷ୍ଣ ଓ ବଳରାମଙ୍କର କ୍ରୀଡା ଦେଖି କଂସର ନିର୍ଦ୍ଦେଶ ମତେ ସେମାନଙ୍କୁ ମାରିବ ବୋଲି ମନେ ମନେ ଭାବି ପ୍ରଳମ୍ବାସୁର ଗୋପାଳ ବାଳକ ବେଶରେ ସେମାନଙ୍କ ସହିତ ଆସି ମିଶିଲା । ଏକଥା କିନ୍ତୁ କୃଷ୍ଣଙ୍କୁ ଅଜଣା ଥିଲା । ସେ ଗୋପାଳ ବାଳକମାନଙ୍କୁ ପ୍ରସ୍ତାବ ଦେଲେ ଯେ ରାଜା ପରଜା ନାକମ ଏକ ଖେଳ ଅଛି,ବର୍ତ୍ତମାନ ଆମେମାନେ ସେହି ଖେଳ ଖେଳିବା । ଏକଥା ଶୁଣି ଗୋପାଳ ବାଳକମାନେ ଆନନ୍ଦ ମନରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାଜା କରି ଅନ୍ୟ ସମସ୍ତ ଗୋପାଳ ପ୍ରଜା ହେଲେ । ଏହି ଖେଳରେ ବଳ କଷାକଷିର କାର୍ଯ୍ୟରହିଲା । ଯେ ଯୁଦ୍ଧରେ ହାରିବ, ସେ ବିଜେତାକୁ କନ୍ଧରେ ବସାଇ ଭାଣ୍ଡୀର ନାମକ ବଟବୃକ୍ଷ ତଳକୁ ବୋହିନେବ । ତତ୍ପରେ ଛଦ୍ମବେଶୀ ପ୍ରଳମ୍ବାସୁର ସହିତ ବଳରାମଙ୍କର ଯୁଦ୍ଧ ହେଲା । ପ୍ରଳମ୍ବ ଜାଣି ଜାଣି ହାରି, ବଳରାମଙ୍କୁ ସ୍କନ୍ଧରେ ବହନ କରି ନିର୍ଦ୍ଧିଷ୍ଟ ସ୍ଥଳକୁ ଯିବା ପରିବର୍ତ୍ତେ ଦ୍ରୁତ ଗତିରେ ଆକାଶ ମାର୍ଗରେ ଗତିକଲା ବେଳେ ବଳରାମ କଳାମେଘରେ ବିଜୁଳି ସମ ଶୋଭା ପାଇଲେ । ପ୍ରଭୁ ବଳରାମ ମାୟାବୀ ଅସୁରକୁ ଚିହ୍ନି ତାହାର ମୁଣ୍ଡ ଉପରେ ବଜ୍ର ସମ ଏକ ମୁଷ୍ଟି ପ୍ରହାର କଲେ । ତାହାର ମୁଣ୍ଡ ଶତ ଖଣ୍ଡ ହେଲା ଓ ଗୋବର୍ଦ୍ଧନ ନିକଟରେ ତାହାର ମୃତ୍ୟୁ ଘଟିଲା ।

ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉଙ୍କ ଦ୍ବୀପହର ଧୂପ ପରେ ବିଶେଷ ଭାବରେ ବଡ଼ଭାଇ ବଳଭଦ୍ରଙ୍କୁ ପ୍ରଳମ୍ବାସୁରବଧ ବେଶରେ ସଜ୍ଜିତ କରାଯାଇଥିଲା । ସନ୍ଧ୍ୟାଧୂପ ପରେ ରାମକୃଷ୍ଣ ଆଜ୍ଞାମାଳ ପାଇ ଜଗମୋହନ ଖଟରେ ବିଜେ କରିଥିଲେ। ତାଙ୍କ ସମ୍ମୁଖରେ ପ୍ରଳମ୍ବାସୁର ବଧ ପ୍ରସ୍ତାବ ଆଗତ କରଯାଇଥିଲା।ଏହାପରେ ଶୀତଳ ଭୋଗ ଓ ବନ୍ଦାପନା ପରେ ରାମକୃଷ୍ଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ଏହାପରେ ଅନ୍ୟାନ୍ୟ ନୀତି ବଢି ଠାକୁର ଙ୍କ ପହଡ଼ ଆଳତି ସମ୍ପର୍ଣ୍ଣ କରାଯାଇଥିଲା।

Comments are closed.