ବ୍ରହ୍ମପୁର: ସୋମବାରରୁ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟରେ ଆରମ୍ଭ ହୋଇଛି ମିଶନ୍ ଇନ୍ଦ୍ରଧନୁଷ। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ଯୋଜନା ମୁତାବକ ଏହି ମିଶନ୍ ଜରିଆରେ ବିଭିନ୍ନ କାରଣରୁ ଟିକା ଗ୍ରହଣ କରିପାରିନଥିବା, ଟିକାକରଣରୁ ବାଦ୍ ପଡ଼ିଥିବା ଶିଶୁ ଓ ଗର୍ଭବତୀଙ୍କୁ ଟିକା ପ୍ରଦାନ ନିଶ୍ଚିତ କରାଯିବ। ମିଶନ୍ର ତିନୋଟି ପର୍ଯ୍ୟାୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬୪୭୯ ଶିଶୁ ଏବଂ ୧୧୨୩ ଗର୍ଭବତୀଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ କାରଣ ପାଇଁ ଅପହଞ୍ଚ ଅଞ୍ଚଳର ଗର୍ଭବତୀ ଓ ଶିଶୁ ଟିକାକରଣରୁ ବାଦ୍ ପଡ଼ିଛନ୍ତି। ଏଥିରେ କ୍ରମାନ୍ଵୟରେ ତିନୋଟି ଟିକା ଗ୍ରହଣ କରିନଥିବା ବର୍ଗ, ସହରାଞ୍ଚଳ ବସ୍ତିବାସିନ୍ଦା, ନିର୍ମାଣାଧୀନ ଅଞ୍ଚଳ, ବିଛିନ୍ନାଞ୍ଚଳ, ଜଙ୍ଗଲ ଓ ଆଦିବାସୀ ବହୁଳ ଅଞ୍ଚଳର ହିତାଧିକାରୀ ସାମିଲ ଅଛନ୍ତି।
ଏହି ମିଶନ୍ ଅନ୍ତର୍ଗତ ଆଶାକର୍ମୀ ଘରକୁ ଘର ଯାଇ ସର୍ଭେ ଜରିଆରେ ହିତାଧିକାରୀ ଚିହ୍ନଟ ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମାଇକ୍ରୋ ପ୍ଲାନ୍ ଓ ସେସନ୍ ପ୍ଲାନ୍ ଜରିଆରେ ମିଶନ୍ ଇନ୍ଦ୍ରଧନୁଷ -୫ ଅନ୍ତର୍ଗତ ସ୍ବତନ୍ତ୍ର ଯୋଜନା କରାଯାଇଥିଲା। ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ ଜରିଆରେ ଶୁନରୁ ଦୁଇ ବର୍ଷ ବୟସର ୫୯୩୬ ଶିଶୁ, ୨ରୁ ୫ ବର୍ଷ ବୟସର ୫୪୩ ଶିଶୁ ଏବଂ ୧୧୨୩ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ଥିଲା। ଅର୍ଥାତ୍ ଗଞ୍ଜାମ ଜିଲ୍ଲାରେ ମୋଟ ୭୬୦୨ ଜଣ ଟିକା ଗ୍ରହଣ କରିବେ ବୋଲି ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ଏବଂ ଅତିରିକ୍ତ ଜିଲ୍ଳା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ। ମିଶନ୍ର ଦ୍ଵିତୀୟ ପର୍ଯ୍ୟାୟ ୯ରୁ ୧୪ ଅକ୍ଟୋବର ଏବଂ ତୃତୀୟ ପର୍ଯ୍ୟାୟ ୬ରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ।
ଗୁରୁତ୍ଵପୂର୍ଣ୍ଣ ହେଲା ମିଜଲ୍ସ ରୁବେଲା (ଏମ୍ଆର୍) ୧ ଓ ୨ ଏବଂ ଡିପିଟି ଆଣ୍ଡ ଓପିଭି ଟିକା ଗ୍ରହଣ କରିପାରିନଥିବା ୨ରୁ ୫ ବର୍ଷ ବୟସର ଶିଶୁ ମଧ୍ଯ ମିଶନ୍ ଇନ୍ଦ୍ରଧନୁଷ-୫ରେ ଟିକା ଗ୍ରହଣ କରିପାରିବେ। ଏହା ପୂର୍ବରୁ ମିଶନ୍ ଇନ୍ଦ୍ରଧନୁଷର ପ୍ରଚାର ପ୍ରସାର ଓ ଟିକାକରଣର ସଫଳତା ପାଇଁ ପୋଷ୍ଟର୍ ମଧ୍ୟ ଉନ୍ମୋଚିତ କରାଯାଇଛି। ଉଲ୍ଲେଖନୀୟ ଯେ ମିଶନ୍ ଇନ୍ଦ୍ରଧନୁଷ- ୫ର ଟିକାକରଣ ତଥ୍ୟ ୟୁ-ଓ୍ବିନ୍ ପୋର୍ଟାଲରେ ଉପଲବ୍ଧ ହେବ। ଅନ୍ଲାଇନ୍ରେ ଟିକାକରଣ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିବା ସାଙ୍ଗକୁ ଆପ୍ରୁ ଇ- କାର୍ଡ, ପ୍ରମାଣପତ୍ର ଆଜି ମିଳିପାରିବ। ଗଞ୍ଜାମ ଜିଲ୍ଲାରେ ଏହି ଅନଲାଇନ୍ ଟିକାକରଣ ଟ୍ରାକିଂ ପ୍ରକ୍ରିୟାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ। କୋଭିଡ୍ ବେଳେ କୋ-ଓ୍ବିନ୍ ପୋର୍ଟାଲ୍ ଭଳି ଏଣିକି ଉପରୋକ୍ତ ଟିକାକରଣ ସମ୍ପର୍କିତ ସମସ୍ତ ତଥ୍ୟ ଗୋଟିଏ ପୋର୍ଟାଲ୍ ଓ ଆପ୍ରେ ଉପଲବ୍ଧ ହେବ।
Comments are closed.