ଚୀନ୍ କବଜାରେ ଲଦାଖର ୪୦୬୭ ବର୍ଗ କିଲୋମିଟର ଜମି ! ନିଜ ସରକାର ବିରୋଧରେ ସୁପ୍ରିମକୋର୍ଟ ଯିବେ ସ୍ବାମୀ

ନୂଆଦିଲ୍ଲୀ: ଜୁନ୍ ୨୦୨୦ରେ ଗଲୱାନ୍ ସଂଘର୍ଷ ପରେ ଭାରତ ଓ ଚୀନ୍ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଛନ୍ତି ଯେ ଲଦାଖରେ ଚୀନ୍ ୪୦୬୭ ବର୍ଗ କିଲୋମିଟର ଜମି ହଡ଼ପ କରିନେଇଛି। ତଥାପି ସରକାର ଏହାକୁ ମାନିବାକୁ ନାରାଜ । ସେ ମୋଦୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସ୍ବାମୀ କହିଛନ୍ତି, ସତ କ’ଣ ତାହା ଜାଣିବାକୁ ସେ ସୁପ୍ରିମକୋର୍ଟ ଯିବେ ।

ସ୍ୱାମୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଲଦାଖରେ ଚୀନ୍ ୪୦୬୭ ବର୍ଗ କିଲୋମିଟର ଜମି ହଡ଼ପ କରିବା ସତ୍ତ୍ୱେ କ’ଣ ମୋଦୀ ସରକାର କେହି ଆସିନାହାଁନ୍ତି ବୋଲି କହୁଛନ୍ତି ? ସମ୍ବିଧାନର ଧାରା ୧୯ ଅନୁଯାୟୀ ମୁଁ ସୁପ୍ରିମକୋର୍ଟ ଯିବି, ଯାହା ଦ୍ଵାରା ଚୀନ୍‌ ଆଗରେ ମୋଦୀ ସରକାରଙ୍କ ଆତ୍ମସମର୍ପଣର ସତ୍ୟାସତ୍ୟ ନେଇ ଖୁଲାସା ହୋଇପାରିବ । ”

ସୋସିଆଲ ମିଡିଆରେ ନିଜ ସରକାରଙ୍କ ବିରୋଧରେ ସୁବ୍ରମଣ୍ୟମ ସ୍ବାମୀଙ୍କ ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ବାମୀ ଗତ କିଛି ବର୍ଷ ଧରି ମୋଦୀ ସରକାରଙ୍କୁ ଲଗାତାର ଟାର୍ଗେଟ କରିଆସୁଛନ୍ତି । ଚୀନ୍ ପ୍ରସଙ୍ଗରେ ସେ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।

କିଛି ଦିନ ତଳେ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଲଦାଖ ଗସ୍ତ ସମୟରେ ଚୀନ୍ ଭାରତୀୟ ଜମି ଦଖଲ କରିଛି ବୋଲି ଅଭିଯୋଗ କରିଥିଲେ । ତେବେ ଲଦାଖ ଉପରାଜ୍ୟପାଳ ବି.ଡି ମିଶ୍ର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଭାରତର ଗୋଟିଏ ବର୍ଗ ମଧ୍ୟ ଦଖଲ କରିନାହିଁ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ।

Comments are closed.